ଅନୁଗୁଳ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନା ଦଳ ଛାଡ଼ିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ସହିତ ଦଳର ସମସ୍ତ ପଦପଦବିରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ସେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।
ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ କଂଗ୍ରେସ ଛାଡ଼ିବା ନେଇ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା। ଗତବର୍ଷ ତାଙ୍କୁ ଜିଲ୍ଲା ସଭାପତି ପଦରୁ ଅବ୍ୟାହତି ଦେଇ ସଂଗ୍ରାମ ମିଶ୍ରଙ୍କୁ ନୂଆ ଜିଲ୍ଲା ସଭାପତି କରାଯାଇଥିଲା। ଏହା ପରଠାରୁ ସେ କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉ ନଥିଲେ। ନିଜସ୍ବ ସଂଗଠନ ଜରିଆରେ ନିଜ ସମର୍ଥକଙ୍କୁ ଏକାଠି କରୁଥିଲେ। ତାଙ୍କ ଗତିବିଧି ନେଇ ରାଜନୈତିକ ମହଲରେ ଆଲୋଚନା ଚାଲିଥିଲାବେଳେ ଆଜି ହଠାତ କଂଗ୍ରେସରୁ ସେ ଇସ୍ତଫା ଦେଇଛନ୍ତି। ଅନୁଗୁଳବାସୀଙ୍କ ସେବା କରିବା ପାଇଁ ସେ ଦଳ ଛାଡ଼ିଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ଖୁବଶୀଘ୍ର ସେ ଏକ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି। କଂଗ୍ରେସରେ କାମ କରିବାର ସୁଯୋଗ ଦେଇଥିବାରୁ ସେ ଦଳୀୟ ନେତା, କର୍ମକର୍ତ୍ତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Advertisment

ବିପ୍ଳବ କଂଗ୍ରେସ ଛାଡ଼ିଥିଲେ ମଧ୍ୟ କେଉଁ ଦଳ‌ରେ ଯୋଗ ଦେବେ ତାହା ସ୍ପଷ୍ଟ କରିନାହାନ୍ତି। ନିଜ ସମର୍ଥକଙ୍କ ସହ ଆଲୋଚନା କରିବା ପରେ ଭବିଷ୍ୟତ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ‘ସମ୍ବାଦ’କୁ କହିଛନ୍ତି। ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିପ୍ଳବ କଂଗ୍ରେସ ଟିକେଟରେ ଲଢ଼ି ୩୦,୫୭୨ ଖଣ୍ଡ ଭୋଟ୍‌ ପାଇଥିଲେ। ଏହି ନିର୍ବାଚନରେ ବିଜେଡି ଜିତିଥି‌ଲାବେଳେ ବିଜେପିଠାରୁ ପ୍ରାୟ ୯ହଜାର ଭୋଟରେ ଆଗୁଆ ଥିଲା। ତେଣୁ ବିପ୍ଳବଙ୍କ ଗୋଟିଚାଳନା ଆସନ୍ତା ନିର୍ବାଚନରେ ନିର୍ଣ୍ଣାୟକ ହୋଇପାରେ ବୋଲି କୁହାଯାଉଛି। କିଛି ମାସ ଆଗରୁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନିକଟତର ହେବା ପରେ ବିଜେପିରେ ମିଶୁଥିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ସେ ବିଜେଡିମୁହାଁ ହୋଇଥିବା କୁହାଯାଉଛି।