ପୂର୍ବତନ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାସମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାସମହାପାତ୍ରଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିଲା।

ବାଲେଶ୍ୱର ନୟାବଜାରରେ ୧୯୨୯ ମାର୍ଚ୍ଚ ୧ରେ ଜନ୍ମଲାଭ କରିଥିବା ଯଦୁନାଥ ଦାସମହାପାତ୍ର ଥିଲେ ସ୍ୱର୍ଗତ ରବି ନାରାୟଣ ଦାସମହାପାତ୍ରଙ୍କ ପୁତ୍ର। ସେ ଲକ୍ଷ୍ମୀପ୍ରିୟା ଦାସଙ୍କୁ ବିବାହ କରିଥିଲେ। ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ। କାଲକାଟା ଉତ୍କଳ ଛାତ୍ର ସଂଘର ସଭାପତି ହେବା ପରେ ସେ ୧୯୬୨ରେ କଂଗ୍ରେସରେ ଯୋଗ ଦେଇଥିଲେ। ପରେ ସେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ହୋଇଥିଲେ। ୧୯୬୪-୬୭ ବାଲେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ହୋଇଥିଲେ। ସେ ବିଧାୟକ ଭାବେ ଏକାଧିକ ବାର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।  ସେ ୧୯୭୨ରୁ ୧୯୭୬ ଏବଂ ୧୯୮୫ରୁ ୧୯୮୯ ପର୍ଯ୍ୟନ୍ତ  ଓଡ଼ିଶାର ଅର୍ଥ, ଶିକ୍ଷା, ପର୍ଯ୍ୟଟନ ଓ କ୍ରୀଡ଼ା ମନ୍ତ୍ରୀ ଥିଲେ।

ଯଦୁନାଥ ଦାସମହାପାତ୍ର ଥିଲେ ଜଣେ ସୁସାହିତ୍ୟିକ। ସେ ବହୁ ଗଳ୍ପ,କବିତା, ନାଟକ ଓ ଉପନ୍ୟାସ ରଚନା କରିଛନ୍ତି। ତାଙ୍କ ରଚିତ ଓଡ଼ିଆ ଉପନ୍ୟାସ ‘ଭୁଲିହୁଏନା’ ଚଳଚ୍ଚିତ୍ର ରୂପ ପାଇଥିଲା।

ସମ୍ବନ୍ଧିତ ଖବର