ଲାଞ୍ଚ ମାମଲା: ପୂର୍ବତନ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍‌

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ରେ ପୂର୍ବରୁ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ବଳିୟାରସିଂଙ୍କୁ ଲାଞ୍ଚ ନେବା ମାମଲାରେ ୩ ବର୍ଷ ଜେଲ୍‌ଦଣ୍ଡ ଦିଆଯାଇଛି। ଆଜି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟ ଏହି ଜେଲ୍‌ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ଚୂଡ଼ାନ୍ତ ରାୟରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ବ୍ଲକ୍‌ ଶ୍ରୀନିକେତା ପଞ୍ଚାୟତ ଅଞ୍ଚଳର ନହ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କର ଗୋଷ୍ଠୀ ସଭାଗୃହ ନିର୍ମାଣ କାର୍ଯ୍ୟର ଫାଇନାଲ୍‌ ବିଲ୍‌ ବାବଦକୁ ୬୦ ହଜାର ଟଙ୍କା ପାଇବାକୁ ଥିଲା। ଏହି ବିଲ୍‌ କରାଇ ଦେବାପାଇଁ କନିଷ୍ଠ ଯନ୍ତ୍ରୀ ବଳିୟାରସିଂ ଅଭିଯୋଗକାରୀ ନହଙ୍କୁ ୧୨ ପ୍ରତିଶତ ପିସି ଦାବି କରିଥିଲେ। ନଗଦ ୮ ହଜାର ଟଙ୍କା ଦେଲେ କନିଷ୍ଠ ଯନ୍ତ୍ରୀ ଏହି ବିଲ୍‌ ପାସ୍‌ କରାଇଦେବେ ବୋଲି କହିଥିଲେ। ତେବେ ପ୍ରଥମେ ଅରାଜି ହେବା ସତ୍ତ୍ବେ ନହ ପ୍ରଧାନ ୬ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। ଏ ନେଇ ସେ ବ୍ରହ୍ମପୁର ଭିଜିଲାନ୍‌ସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବ୍ରହ୍ମପୁର ଭିଜିଲାନ୍‌ସ ଟିମ୍‌ ଦାରିଙ୍ଗବାଡ଼ିରେ ପହଞ୍ଚି କନିଷ୍ଠ ଯନ୍ତ୍ରୀଙ୍କୁ ୬ ହଜାର ଟଙ୍କା ଦେଉଥିବା ବେଳେ କାବୁ କରିଥିଲେ। ଏ ନେଇ ଭିଜିଲାନ୍‌ସ ପକ୍ଷରୁ ୪/୨୦୧୮ରେ ଏକ ମାମଲା ରୁଜୁ ହୋଇଥିଲା। ଫୁଲବାଣୀ ଭିଜିଲାନ୍‌ସ କୋର୍ଟ ସ୍ବତନ୍ତ୍ର ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ଆଜି ଏହି ମାମଲାର ଶୁଣାଣି କରିଥିବାବେଳେ ସରକାରଙ୍କ ପକ୍ଷରୁ ଆଇନଜୀବୀ ଭି.ଭି. ରାମଦାସ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର