ପୂର୍ବତନ ଅଗ୍ନିଶମ ଡିଜି ବିନୟ ବେହେରାଙ୍କ ପରଲୋକ

୧୨ଦିନ ତଳେ ନେଇଥିଲେ ଅବସର, ବିଭିନ୍ନ ମହଲରେ ଶୋକର ଛାୟା

ଭୁବନେଶ୍ୱର : ମାତ୍ର ୧୨ ଦିନ ତଳେ ଅବସର ନେଇଥିବା ପୂର୍ବତନ ଅଗ୍ନିଶମ ଡିଜି ତଥା କମିସନରେଟ୍‌ ପୁଲିସର ପ୍ରଥମ କମିସନର ବିନୟ କୁମାର ବେହେରାଙ୍କ ଆଜି ସନ୍ଧ୍ୟାରେ ରାଜଧାନୀର କେୟାର ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା। ୧୯୮୨ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଶ୍ରୀ ବେହେରାଙ୍କ ଏପରି ଅକାଳ ବିୟୋଗରେ ପୁଲିସ, ପ୍ରଶାସନ ଓ ତାଙ୍କ ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି।

ଗତ ଅକ୍ଟୋବର ୩୧ ତାରିଖ ଦିନ ଚାକିରିରୁ ଅବସର ନେବା ଦିନ ରାତିରେ ହିଁ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ନଭେମ୍ବର ୧ ତାରିଖ ଭୋର୍‌ ବେଳକୁ କେୟାର ହସ୍ପିଟାଲରେ ଭର୍ତି କରାଯାଇିଲା। ସେ ଗୁରୁତର ନିମୋନିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ସଂକ୍ରମଣ ବଢ଼ିଯିବାରୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖି ଚିକିତ୍ସା କରାଯାଉଥିଲା। ତାଙ୍କ କିଡ୍‌ନି ଅଚଳ ହୋଇଯିବାରୁ ଗତ ୩ ତାରିଖରୁ ତାଙ୍କର ନିୟମିତ ଡାଏଲେସିସ୍‌ କରାଯାଉଥିଲା। ଡାକ୍ତରମାନଙ୍କ ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ଘଟି ନ ଥିଲା। ଶେଷରେ ଆଜି ରାତି ସାଢ଼େ ୧୦ଟାବେଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଶ୍ରୀ ବେହେରା ୨୦୦୭ ନଭେମ୍ବରରେ ଦୈତ୍ୟ ନଗରୀ କଟକ-ଭୁବନେଶ୍ୱରର ପ୍ରଥମ ପୁଲିସ୍‌ କମିସନର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଅକ୍ଟୋବର ୩୧ ତାରିଖ ଦିନ ଅବସର ଗ୍ରହଣ କରିବା ସନ୍ଧ୍ୟାରେ ଅନୁଷ୍ଠିତ ଏକ ବିଦାୟକାଳୀନ ନୈଶଭୋଜିରେ ହିଁ ସେ ଅସୁସ୍ଥତା ଅନୁଭବ କରି ଅଧାରୁ ଘରକୁ ଫେରି ଯାଇଥିଲେ। ଅବସର ଗ୍ରହଣ ଦିନ ‘ସମ୍ବାଦ’ ସହିତ ଶେଷ ସାକ୍ଷାତକାରରେ ସେ କହିଥିଲେ ଯେ ଏବେ କିଛି ଦିନ ସେ ବିଶ୍ରାମ ନେବାକୁ ଚାହାଁନ୍ତି। ତେବେ ଜଣେ ଦକ୍ଷ ଓ ସଚ୍ଚୋଟ ପୁଲିସ୍‌ ଅଧିକାରୀ ଭାବରେ ସୁପରିଚିତ ଶ୍ରୀ ବେହେରା ଯେ ଚିରବିଶ୍ରାମ ନେଇଯିବେ ତାହା କେହି କଳ୍ପନା କରିନଥିଲେ।

ଶ୍ରୀ ବେହେରା କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡ଼ି ଗାଁରେ ୧୯୫୭, ଅକ୍ଟୋବର ୧୦ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ପ୍ରଫେସର ଭୁବନେଶ୍ୱର ବେହେରା ରାଉରକେଲାର ରିଜିଓନାଲ ଇଂଜିନିୟରିଂ କଲେଜ (ବର୍ତମାନର ଏନ୍‌ଆଇଟି)ର ପ୍ରଥମ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବାରୁ ଶ୍ରୀ ବେହେରାଙ୍କ ବାଲ୍ୟକାଳ ରାଉରକେଲାରେ କଟିଥିଲା। ୧୯୮୨ରେ ଆଇପିଏସ୍‌ରେ କୃତକାର୍ଯ୍ୟ ହେବା ପରେ ୧୯୮୫ରେ ଭଞ୍ଜନଗର ଏସ୍‌ଡିପିଓ ଭାବେ କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ଅତିରିକ୍ତ ଏସ୍‌ପି, କଳାହାଣ୍ଡି, ପୁରୀ, କଟକ, ମୟୂରଭଞ୍ଜ, ରାଉରକେଲାର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ। କମିସନରେଟ୍‌ ପୁଲିସ୍‌ର ପ୍ରଥମ ପୁଲିସ କମିସନର ଭାବେ ସେ ୨୦୦୭, ନଭେମ୍ବର ୭ରୁ ୨୦୦୮, ମେ’ ୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ପୁଲିସ ଯୋଗାଯୋଗ ବିଭାଗର ଆଇଜି, ହୋମଗାର୍ଡ ଓ ଅଗ୍ନିଶମ ଏଡିଜି ଭାବେ କାର୍ଯ୍ୟ କରିବା ପରେ ସେ ସେହି ବିଭାଗର ଡିଜି ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ତାଙ୍କ ଚାକିରିକାଳ ମଧ୍ୟରେ ଶ୍ରୀ ବେହେରା ଅନେକ ସଂସ୍କାରମୂଳକ କାର୍ଯ୍ୟ କରିଥିଲେ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ବିପୁଳ କ୍ଷତିରେ ଚାଲୁଥିବା ବେଳେ ଶ୍ରୀ ବେହେରା ଏହି ସଂସ୍ଥାକୁ ଏକ ଲାଭଜନକ ସଂସ୍ଥାରେ ପରିଣତ କରିପାରିଥିଲେ। ଏହି ସଫଳତାକୁ ଆଇଆଇଏମ୍‌, ଅହମଦାବାଦ୍‌ ସ୍ୱୀକୃତି ଦେଇ ପାଠ୍ୟକ୍ରମରେ କେସ୍‌ ଷ୍ଟଡି ଭାବରେ ସାମିଲ୍‌ କରିଛି। ସେହିପରି ମଣିଷ-ହାତୀ ଲଢ଼େଇ ପ୍ରସଙ୍ଗରେ ଗବେଷଣା କରି ଶ୍ରୀ ବେହେରା ଡକ୍ଟରେଟ୍‌ ଲାଭ କରିଥିଲେ। ଏହାଛଡ଼ା ପୁଲିସ୍‌ କମିସନର ଭାବରେ ଦାୟିତ୍ୱ ନେବା ପରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଥିବା ସମ୍ପର୍କର ଖୁଲାସା କରି ସେ ଚର୍ଚ୍ଚାରେ ଥିଲେ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇଂରାଜି ସାହିତ୍ୟରେ ପିଜି କରିଥିବା ଶ୍ରୀ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶେଷ ରୁଚି ରଖୁଥିଲେ। ଜଣେ ଅମାୟିକ ଓ ଲୋକପ୍ରିୟ ଆଇପିଏସ୍‌ ଅଧିକାରୀ ଭାବରେ ସୁପରିଚିତ ଥିଲେ। ସ୍ୱର୍ଗତଃ ବେହେରାଙ୍କ ପତ୍ନୀ ଜୟଶ୍ରୀ ମହାପାତ୍ର ଜେକେବିକେ କଲେଜରେ ପ୍ରାଧ୍ୟାପିକା ଭାବେ କାର୍ଯ୍ୟ କରୁଥିବା ବେଳେ ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ପୁଅ ବାଙ୍ଗାଲୋରରେ ଇଂଜିନିୟର ଅଛନ୍ତି। ବଡ଼ ବୋହୂ ବେଲଜିୟମରେ ରହୁଛନ୍ତି। ସାନପୁଅ ନୂଆ ଦିଲ୍ଲୀରେ ପାଠ ପଢୁଛନ୍ତି। ଭଉଣୀ ସାହିତ୍ୟିକା ଡ.ଯଶୋଧାରା ମିଶ୍ର ଦିଲ୍ଳୀରେ ବାସ କରନ୍ତି। ଆଜି ଦୁଇ ଭାଇ ମଳୟ ଓ ଅଜୟ ବେହେରାଙ୍କ ସମେତ ସମସ୍ତ ପରିବାରବର୍ଗ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ଆସନ୍ତକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

ଶ୍ରୀ ବେହେରାଙ୍କ ମୃତ୍ୟୁରେ ପୁଲିସ୍‌ ମହଲରେ ଶୋକର ଛାୟା ଖେଳିଯାଇଛି। ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ଏଡିଜି ସତ୍ୟଜିତ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ଆଇପିଏସ୍‌ ଅଫିସର ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍‌ ଅଧିକାରୀ ବିନୟ କୁମାର ବେହେରାଙ୍କ ଅକାଳ ବିୟୋଗରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଚାକିରି ଜୀବନରୁ ଅଳ୍ପ କିଛି ଦିନ ତଳେ ଅବସର ନେଇଥିବା ଜଣେ ଦକ୍ଷ ଓ ସଚ୍ଚୋଟ ପୁଲିସ୍‌ ଅଧିକାରୀ ଶ୍ରୀ ବେହେରାଙ୍କ ବିୟୋଗ ଦୁଃଖଦାୟକ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ନୀଳାଦ୍ରୀବିହାର ଯୁବ ସାଂସ୍କୃତିକ ସଂଘର ଶୋକ
ଅବସରପ୍ରାପ୍ତ ପୂର୍ବତନ ଅଗ୍ନିଶମ ଡିଜି ତଥା କମିସନରେଟ୍‌ ପୁଲିସ୍‌ର ପ୍ରଥମ କମିସନର ବିନୟ କୁମାର ବେହେରାଙ୍କ ବିୟୋଗରେ ନୀଳାଦ୍ରୀବିହାର ଯୁବ ସାଂସ୍କୃତିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସଂଘର ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ସମସ୍ତ ସଦସ୍ୟ ଜଣେ ସ୍ୱନାମଧନ୍ୟ କର୍ତ୍ତବ୍ୟନିଷ୍ଠ ପୁଲିସ୍‌ ଅଧିକାରୀ ଭାବରେ ସୁପରିଚିତ ଶ୍ରୀ ବେହେରାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର