ଜରିମାନା ଦେଇ ନବୀକରଣ କଲେ ପୂର୍ବତନ ଡିଜି
ଭୁବନେଶ୍ବର : ବନ୍ଧୁକ ଲାଇସେନ୍ସକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ୍ସି ଜମିର। ଓଡ଼ିଶାରେ ରାଜ୍ୟପାଳ ଥିବା ବେଳେ ଭୁବନେଶ୍ବରରୁ ଯେଉଁ ବନ୍ଧୁକ ଲାଇସେନ୍ସ ନେଇଥିଲେ ତାହାର ନବୀକରଣ ଦୁଇବର୍ଷ ଧରି କରିନାହାନ୍ତି। ତାଙ୍କ ପାଖରେ ଥିବା ସେହି ବନ୍ଧୁକକୁ ଏବେ କମିସନରେଟ୍ ପୁଲିସ ବେଆଇନ ଅସ୍ତ୍ର ଭାବରେ ବିବେଚନା କରୁଛି। ଏଣୁ ଏହାର ଲାଇସେନ୍ସ ତୁରନ୍ତ ନବୀକରଣ କରିବା ପାଇଁ କ୍ୟାପିଟାଲ ଥାନା ପୁଲିସ ତାଙ୍କୁ ଏକାଧିକ ବାର ପତ୍ର ଲେଖିଥିଲେ ମଧ୍ୟ ସେ ଏହାର ନବୀକରଣ କରିନାହାନ୍ତି। ବନ୍ଧୁକର ଲାଇସେନ୍ସ ତୁରନ୍ତ ନବୀକରଣ ନ କଲେ ଏହାକୁ ବେଆଇନ ବୋଲି ଧରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପୁଣି ଥରେ ଚିଠି ଲେଖିଛି।
ଶ୍ରୀ ଜମିର ୨୦୧୩ ମସିହା ମାର୍ଚ୍ଚ ୨୧ ତାରିଖରୁ ୨୦୧୮ ମସିହା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଭାବରେ ରହିଥିଲେ। ଏହି କାର୍ଯ୍ୟକାଳ ମଧ୍ୟରେ ଆତ୍ମରକ୍ଷା ପାଇଁ ସେ ବନ୍ଧୁକ ଲାଇସେନ୍ସ ଆବେଦନ କରିଥିଲେ। ତାଙ୍କୁ ବିଧିବଦ୍ଧ ଭାବରେ ୨୦୧୬ ମସିହା ମେ ୨୧ ତାରିଖ ଦିନ ଲାଇସେନ୍ସ(୧୦/୧/ଏଲ୍/୨୦୧୬) ପ୍ରଦାନ କରା ଯାଇଥିଲା। ଏହି ଲାଇସେନ୍ସର ଅବଧି ୨୦୧୯ ମସିହା ମେ ୨୦ ତାରିଖ ପର୍ଯ୍ୟନ୍ତ ଥିଲା। ୨୦୧୮ ମସିହାରେ ସେ ଓଡ଼ିଶା ଛାଡ଼ି ଚାଲି ଯାଇଥିଲେ। ହେଲେ ଲାଇସେନ୍ସ ନବୀକରଣ କରିନଥିଲେ। ଏନେଇ ପୁଲିସ ତାଙ୍କୁ ବାରମ୍ବାର ଚିଠି ଲେଖିଥିଲା।
ଅନ୍ୟପଟେ ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ ଲାଇସେନ୍ସ ପିସ୍ତଲର ନବୀକରଣ କରି ନଥିଲେ। ଏ ନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ସେ ବିଳମ୍ବ ଜନିତ ଜରିମାନା ଦେଇ ନବୀକରଣ କରିଥିବା କମିସନରେଟ୍ ପୁଲିସ ସୂଚନା ଦେଇଛି। ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ପାଇଥିଲେ। ତାଙ୍କ ସୂଚନା ମୁତାବକ, ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ ୧୨ ବର୍ଷ ଭିତରେ ୧୯୧ ଜଣ ବନ୍ଧୁକ ଲାଇସେନ୍ସ ପାଇଛନ୍ତି। ୧୧୦ ଜଣ ନବୀକରଣ କରିଥିବା ବେଳେ ୨୨ ଜଣ ନବୀକରଣ କରି ନାହାନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ୫୯ ଜଣ ଲାଇସେନ୍ସଧାରୀଙ୍କର ବନ୍ଧୁକର ସମ୍ପୂର୍ଣ୍ଣ ବିବରଣୀ ପୁଲିସ ପାଖରେ ମଧ୍ୟ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/s-c-jamir.jpg)