ଗୁଣପୁର/ରାମନାଗୁଡ଼ା, : ଗୁଣପୁରର ପୂର୍ବତନ ବିଧାୟକ ତଥା ରାମନାଗୁଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମମୂର୍ତ୍ତି ମୁଟ୍ଟିକା (୬୭)ଙ୍କ ଆଜି ପରଲୋକ ଘଟିଛି। ସେ ଗତ କିଛି ଦିନ ଧରି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ। ଗତକାଲି ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ରାଗୁଲୁର ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆଜି ପୂର୍ବାହ୍ନ ୧୧ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ବଡ଼ ଝିଅ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜେତା ମୁଟ୍ଟିକା, ସାନ ଝିଅ ତଥା ସମିତିସଭ୍ୟା ଗୀତାଞ୍ଜଳି ଦୋରାଙ୍କ ସମେତ ପତ୍ନୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ମୃତ୍ୟୁ ଖବର ପ୍ରଚାର ହେବା ପରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିବାବେଳେ ଆଜି ସନ୍ଧ୍ୟାରେ ନିଜ ଗ୍ରାମରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Advertisment

ସ୍ବର୍ଗତ ମୁଟ୍ଟିକା ଜଣେ ମିଷ୍ଟଭାଷୀ, ପରୋପକାରୀ ତଥା ଅମାୟିକ ସ୍ୱଭାବର ଜନନାୟକ ଭାବେ ଜିଲ୍ଲାରେ ପରିଚିତ ଥିଲେ। ରାମନାଗୁଡା ବ୍ଲକର ସୁବାଇ ଗ୍ରାମରେ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ଯୁବାବସ୍ଥାରୁ ହିଁ ରାଜନୀତିରେ ପ୍ରବେଶ କରି ବିଭିନ୍ନ ପଦପଦବି ରହି ସୁଚାରୁରୂପେ ଦାୟିତ୍ବ ନିର୍ବାହ କରିଥିଲେ। ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗୀରଥି ଗମାଙ୍ଗଙ୍କ ଶିଷ୍ୟ ଭାବେ ବେଶ୍‍ ପରିଚିତ ଥିଲେ। ୧୯୮୦ରୁ ୧୯୮୪ ଓ ୨୦୦୭ରୁ ୨୦୦୯ ପର୍ଯ୍ୟନ୍ତ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହିବା ପରେ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରେ ଯୋଗ ଦେଇ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଗୁଣପୁର ବିଧାୟକ ହୋଇଥିଲେ। ରାୟଗଡ଼ା ଜିଲ୍ଲା ସଭାପତି ଭାବେ ମଧ୍ୟ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ଦଳୀୟ ଟିକଟରୁ ବଞ୍ଚିତ ହେବାରୁ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିରୁ ଟିକଟ ନ ପାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ।

ବିଜେପିର ଶୋକ
ଭୁବନେଶ୍ବର: ଗୁଣୁପୁରର ପୂର୍ବତନ ବିଧାୟକ ତଥା ରାୟଗଡ଼ା ଜିଲ୍ଲା ରାମଣାଗୁଡ଼ା ବ୍ଲକର ଦୁଇଥର ଅଧ୍ୟକ୍ଷ ରାମମୂର୍ତୀ ମୁଟ୍ଟିକାଙ୍କ ବିୟୋଗରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶୋକବାର୍ତ୍ତାରେ ଉଭୟ ନେତା ଜଣାଇଛନ୍ତି, ୬୮ ବର୍ଷୀୟ ସ୍ବର୍ଗତଃ ମୁଟ୍ଟିକା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ମେଡିକାଲ୍‌ରେ ଚିକିତ୍ସିତ ହେଉଥିଲେ। ଜଣେ ଅଣକଂଗ୍ରେସ ନେତା ଭାବେ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାରେ ତାଙ୍କର ସୁଖ୍ୟାତି ଥିଲା। ନମ୍ର ସ୍ବଭାବ ଓ ସଚ୍ଚୋଟପଣିଆ ଯୋଗୁ ସେ ଲୋକଙ୍କ ହୃଦୟରେ ଅବିସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀ ମହାନ୍ତି ଓ ଶ୍ରୀ ନାଏକ କହିଛନ୍ତି।