ଭୁବନେଶ୍ବର : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଭିନ୍ନଭିନ୍ନ ଚର୍ଚ୍ଚା ଲାଗି ରହିଛି। କିଏ ତାଙ୍କୁ ମାନସିକ ରୋଗୀ ବୋଲି କହୁଛି ତ କିଏ ପାଗଳ। କିନ୍ତୁ ଚାକିରି କାଳରେ ଗୋପାଳ ଜଣେ ଦକ୍ଷ ପୁଲିସ୍ ଅଧିକାରୀ ଥିଲେ। ୧୯୯୨ ମସିହାରେ କନଷ୍ଟେବଳରୁ ଚାକିରି ଆରମ୍ଭ କରିଥିବା ଗୋପାଳ ୨୦୨୦ ମସିହା ପର୍ଯ୍ୟନ୍ତ, ୨୮ ବର୍ଷ ମଧ୍ୟରେ ବହୁ ପୁରସ୍କାର ହାତେଇ ପୁଲିସ୍ ବିଭାଗ ପାଇଁ ଗର୍ବ ଓ ଗୌରବ ଆଣିଥିଲେ। ଏପରିକି ପୁରସ୍କାର ତାଙ୍କ ପିଛା ଛାଡ଼ି ନଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସମୟ ମଧ୍ୟରେ ତାଙ୍କୁ ୧୮ଥର ପ୍ରଶଂସାପତ୍ର ମିଳିଥିବା ବେଳେ ୯ଥର ଅର୍ଥରାଶି ପୁରସ୍କାର ଏବଂ ୧୮ଥର ଜିଏସ୍ ମାର୍କ ପୁରସ୍କାର, ଏପରି ମୋଟ ୪୫ଥର ପୁରସ୍କୃତ ହୋଇଥିଲେ ଗୋପାଳ। ଏହି ତଥ୍ୟ ଏବେ ପଦାକୁ ଆସିବା ପରେ ଆଲୋଚନା ଜୋର୍ ଧରିଛି। ଜଣେ ଦକ୍ଷ ପୁଲିସ୍ କର୍ମଚାରୀ କାହିଁକି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନାନୁସାରେ, ଗୋପାଳ ୧୯୯୨ରେ ବ୍ରହ୍ମପୁର ଜିଲ୍ଲାରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ। ଚାକିରିର ପ୍ରଥମ ବର୍ଷରେ ତାଙ୍କୁ ମିଳିଥିଲା ପ୍ରଶଂସାପତ୍ର। ୨୦୦୪ ମସିହାରେ ସର୍ବାଧିକ ଭାବେ ୯ଥର ପ୍ରଶଂସା ପତ୍ର ମିଳିଥିବା ବେଳେ ୨୦୧୨ରେ ସର୍ବାଧିକ ଭାବେ ୬ଥର ଅର୍ଥରାଶି ପୁରସ୍କାର ପାଇଛନ୍ତି। ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ଲଗାତାର ୧୦ବର୍ଷ ପୁରୁସ୍କୃତ ହୋଇଥିଲେ ଗୋପାଳ। ୧୯୯୬ରେ ଦୁଇ ଦୁଇଥର ଜିଏସ୍ ମାର୍କ, ୧୯୯୮ରେ ପୁଣି ପ୍ରଶଂସାପ୍ରତ, ୧୯୯୯ରେ ଥରେ ଜିଏସ୍ ମାର୍କ ଓ ପ୍ରଶଂସାପତ୍ର, ୨୦୦୦ରେ ପ୍ରଶଂସାପତ୍ର, ୨୦୦୩ରେ ପ୍ରଶଂସାପତ୍ର, ୨୦୦୭ରେ ଥରେ ପ୍ରଶଂସାପତ୍ର ଓ ୨ଥର ଜିଏସ୍ ମାର୍କ,୨୦୦୮ରେ ଦୁଇଥର ଅର୍ଥରାଶି ଓ ଥରେ ପ୍ରଶଂସା ପତ୍ର, ୨୦୦୯ରେ ଥରେ ପ୍ରଶଂସା ପତ୍ର, ଥରେ ଜିଏସ୍ ମାର୍କ, ୨୦୧୧ରେ ଥରେ ଅର୍ଥରାଶି, ୨୦୧୨ରେ ଥରେ ଜିଏସ୍ମାର୍କ ଓ ୬ଥର ଅର୍ଥରାଶି, ୨୦୧୨ରେ ଥରେ ଜିଏସ୍ମାର୍କ, ୨୦୧୪ରେ ଥରେ ପ୍ରଶଂସାପତ୍ର, ୨୦୧୫ରୁ ୨୦୨୦ ମଧ୍ୟରେ ୧୦ଥର ଜିଏସ୍ ମାର୍କ ଓ ଥରେ ଅର୍ଥରାଶି ପୁରସ୍କୃତ ହୋଇଥିଲେ।
ସେହିପରି ୨୦୦୯ ମସିହାରେ ଗୋପାଳ ଏଏସ୍ଆଇ ପଦକୁ ପଦୋନ୍ନତି ପାଇ ଝାରସୁଗୁଡ଼ା ଜିଲ୍ଲାରେ ନିଯୁକ୍ତି ହୋଇଥିଲେ। ଝାରସୁଗୁଡ଼ାର ବିଭିନ୍ନ ଥାନା ଓ ଫାଣ୍ଡିରେ ୧୩ବର୍ଷ ଧରି କାର୍ଯ୍ୟରତ ଥିଲେ। ୨୦୦୯ରୁ ୨୦୧୩ ମଧ୍ୟରେ ବଡ଼ମାଳ ଥାନା, ୨୦୧୩ରୁ ୨୦୧୬ କୋଲାବିରା ଥାନା, ୨୦୧୬ରୁ ୨୦୧୮ବନହରପାଲ୍ଲୀ ଥାନା, ୨୦୧୮ରୁ୨୦୨୦ ବେଲପାହାଡ଼ ଥାନା ଏବଂ ୨୦୨୦ରୁ ୨୦୨୩ ଗାନ୍ଧୀ ଛକ ଫାଣ୍ଡିରେ କାର୍ଯ୍ୟରତ ଥିଲେ। ବିଧାନସଭାରେ ଗୋପାଳ ଦାସର କ୍ୟାରିୟରକୁ ନେଇ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଲିଖିତ ଉତ୍ତରରେ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି।
ଯେଉଁ ସମୟରେ ଗୋପାଳ ମାନସିକ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ବୋଲି କୁହାଯାଉଛି, ସେହି ସମୟରେ ସେ ଭଲ କାର୍ଯ୍ୟ ପାଇଁ ବିଭାଗରୁ ପୁରସ୍କୃତ ହୋଇଥିଲେ। ତେଣୁ କେଉଁ ପରିସ୍ଥିତିରେ ପଡ଼ି ଗୋପାଳ ଏତେ ବଡ଼ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ, ତାହାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।