ସୁନ୍ଦରଗଡ଼/ ବାଲିଶଙ୍କରା : ମହାନ ହକି ଖେଳାଳି ଦିଲୀପ ତିର୍କୀଙ୍କ ଜନ୍ମସ୍ଥାନ ରୂପେ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ଜାତୀୟ ସ୍ତରରେ ପରିଚିତ ହେବାର ବହୁ ବର୍ଷ ପୂର୍ବରୁ ସେହି ଅଞ୍ଚଳର ଅନ୍ୟ ଜଣେ ତିର୍କୀ ହକିରେ ଜାତୀୟସ୍ତରରେ ନହେଲେ ବି ରାଜ୍ୟସ୍ତରରେ ଖୁବ୍‌ ନାଁ କରି ପାରିଥିଲେ। ସେ ହେଉଛନ୍ତି ଇଲିଆସ୍‌ ତିର୍କୀ। ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ(କ) ଜୋନ୍‌ରୁ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବେ ଇଲିଆସ୍ ନିର୍ବାଚନ ମଇଦାନରେ ପାଦ ଥାପିଛନ୍ତି। ରେଲୱେ ଚାକିରିରୁ ଅବସର ନେବା ପରେ ସେ ରାଜନୀତିକୁ ଓହ୍ଲାଇଛନ୍ତି।

Advertisment

ଶ୍ରୀ ତିର୍କୀ ଜଣେ ସୁନାମଧନ୍ୟ ହକି ଖେଳାଳି ହୋଇଥିବା ବେଳେ ବିଭିନ୍ନ ସମୟରେ ଓଡ଼ିଶା ହକି ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଛନ୍ତି। ୧୯୮୨ରେ ସୁନ୍ଦରଗଡ଼ ସରକାରୀ କଲେଜରେ ପଢ଼ୁଥିବା ବେଳେ ଶ୍ରୀ ତିର୍କୀ ଓଡ଼ିଶା ଦଳକୁ ଚୟନ ହୋଇଥିଲେ। ସେହିବର୍ଷ ଚଣ୍ଡିଗଡ଼ରେ ଖେଳା ଯାଇଥିବା ସର୍ବଭାରତୀୟ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଏହି ପ୍ରତିଯୋଗିତାରେ ଶକ୍ତିଶାଳୀ ପଞ୍ଜାବକୁ ହରାଇ ଓଡ଼ିଶା ଦଳ ଚାମ୍ପିଅନ୍ ହୋଇଥିଲା। ୧୯୮୪ରେ ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ବେଳେ ୧୯୮୬ରେ ଶ୍ରୀନଗରରେ ଖେଳା ଯାଇଥିବା କନିଷ୍ଠ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ୧୯୮୭ରେ ରେଳବାଇରେ ଚାକିରି ପାଇବା ପରେ ସେ ରେଳବାଇ ପକ୍ଷରୁ ଖେଳୁଥିଲେ।