ମମିତା ମେହେର ମାମଲାରେ ନୂଆ ମୋଡ଼: ପୂର୍ବ ଜଜ୍ ତଦାରଖ କରିବେ ତଦନ୍ତ

ଏ ବିଏସ୍ ନାଇଡୁଙ୍କୁ ନିଯୁକ୍ତି ଦେଲେ ହାଇକୋର୍ଟ, ତଦନ୍ତରେ ସ୍ବଚ୍ଛତା ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ ସରକାର

ଭୁବନେଶ୍ବର/ କଟକ : ମମିତା ହତ୍ୟା ମାମଲା ଆଜି ହଠାତ୍ ମୋଡ଼ ବଦଳାଇଛି। ବୁଧବାର ଦିନ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ପୂର୍ବରୁ ହାଇକୋର୍ଟ ଏହି ମାମଲାେର ଗୋଟିଏ ବଡ଼ ନିର୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି ହାଇକୋର୍ଟ କହିଛନ୍ତି ଯେ ଏହି ସମ୍ବେଦନଶୀଳ ମାମଲାର ତଦନ୍ତକୁ ପୂର୍ବତନ ଜିଲ୍ଲା ଜଜ୍ ଏ ବି ଏସ୍ ନାଇଡୁ ଅନୁଧ୍ୟାନ ଓ ତଦାରଖ କରିବେ। ଶ୍ରୀ ନାଇଡୁ ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିବା ସହିତ କେଉଁ ଦିଗରେ ଉପଯୁକ୍ତ ତଦନ୍ତ ହୋଇ ପାରିବ ସେ ନେଇ ପରାମର୍ଶ ଦେବେ। ତଦନ୍ତର କେଉଁ ପ୍ରସଂଗକୁ ଅଧିକ ଗୁରୁତ୍ବ ଦିଆଯିବ ଓ କେଉଁ ସବୁ ତଥ୍ୟ ପ୍ରମାଣ ଆଧାରରେ ତଦନ୍ତ ଆଗକୁ ବଢିବ ତାହା ସେ ତଦାରଖ କରିବେ। ତଦନ୍ତ ଅଧିକାରୀ ତଦନ୍ତର ସାନି ସ୍ଥିତି ନେଇ ତାଙ୍କୁ ବିସ୍ତୃତ ଭାବେ ଅବଗତ କରିବା ସହିତ ଏହି ପ୍ରସଂଗରେ ପରାମର୍ଶ ଲୋଡିବେ।

ସୂଚନାଯୋଗ୍ୟ ଯେ ଏହି ମାମଲାରେ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଲିଖିତ ଅନୁରୋଧ କରିଥିଲେ। ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ତଦନ୍ତରେ ସ୍ବଚ୍ଛତା ରକ୍ଷା କରିବା
ଅପରିହାର୍ଯ୍ୟ ହୋଇଥିବା କାରଣରୁ ଏହାର ତଦନ୍ତକୁ ହାଇକୋର୍ଟର ଜଣେ ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଅନୁଧ୍ୟାନ ଓ ତଦାରଖ କରାଯାଉ। ଅନ୍ୟଥା ଜିଲ୍ଲ ଜଜ୍‌ଙ୍କ ଦ୍ବାରା ମଧ୍ୟ କରାଯାଇପାରେ। ରାଜ୍ୟ ସରକାରଙ୍କ ଏହି ନିବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି।

ବିରୋଧୀ ବିଜେପି ମମିତା ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବିରେ ଅଟଳ ରହିଛି। ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆଣି ତାଙ୍କ ଇସ୍ତଫା ଦାବି କରୁଛନ୍ତି। ପ୍ରତିବାଦ ସ୍ବରୂପ ବିଜେପି କର୍ମୀ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଅଣ୍ଡାମାଡ଼ କରିଛନ୍ତି, ପୁରୀରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରେ ବି ଅଣ୍ଡାମାଡ଼ କରାଯାଇଛି। ସେହିପରି କଂଗ୍ରେସ ଘଟଣାର କୋର୍ଟ ତଦାରଖରେ ଏସଆଇଟି ତଦନ୍ତ ଦାବିରେ ଅଟଳ ରହିଛି। ବିଜେପି ଭଳି କଂଗ୍ରେସ ମଧ୍ୟ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେଇଛି ଓ ସରକାରଙ୍କୁ ହଲାପଟା କରିବାକୁ ପଛାଇ ନାହିଁ। ଆଉ ପାଦେ ଆଗକୁ ଯାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମମିତା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ କାଗଜପତ୍ର ପ୍ରସ୍ତୁତ ଚାଲିଛି ଓ ଖୁବ୍ ଶୀଘ୍ର ଶ୍ରୀ ମିଶ୍ର ମାମଲା ଦାୟର କରିବେ ବୋଲି ତାଙ୍କ ନିକଟତମ ମହଲରୁ ପ୍ରକାଶ। ଶାସକ ବିଜେଡି ରାଜନୈତିକସ୍ତରରେ ବିରୋଧୀଙ୍କୁ ଜବାବ ଦେଇଥିବା ବେଳେ ରାଜ୍ୟ ସରକାର କିନ୍ତୁ ମୁହଁ ଖୋଲିନଥିଲେ। ପରିସ୍ଥିତି ଗମ୍ଭୀର ଆଡକୁ ଯାଉଥିବା ଦେଖି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଚିଠି ଲେଖିଥିବା କୁହାଯାଉଛି।

ଏବେ ହାଇକୋର୍ଟଙ୍କ ଏଭଳି ନିର୍ଦେଶ ପରେ ବିରୋଧୀ କି ଆଭିମୁଖ୍ୟ ନେବେ, ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରୁ ଓହରିବେ କି ଜାରି ରଖିବେ, ସର୍ବୋପରି ବିଧାନସଭାରେ ବିରୋଧୀ ଦଳର ଆଚରଣ କଣ ରହିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର