ଜୟପୁର : ସରକାରୀ ଅର୍ଥ ତୋଷାରପାତ ମାମଲାରେ ତତ୍କାଳୀନ କୋରାପୁଟ ସିଡିଏମ୍ଓ ଡାକ୍ତର କେ. ହରିବନ୍ଧୁ ରେଡ୍ଡି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ରାଜେଶ ଏକ୍କା ଏହି ମାମଲାର ଶୁଣାଣି କରି ଆଜି ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଆଉ ୩ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି। ତେବେ ଅନ୍ୟତମ ଅଭିଯୁକ୍ତ ତଥା ବରିଷ୍ଠ କିରାଣି ପି. ଭେଙ୍କଟ ଜଗନ୍ନାଥ ରାଓଙ୍କ ମୃତ୍ୟୁ ହୋଇଯାଇଥିବାରୁ ମାମଲାରୁ ତାଙ୍କ ନାମ ହଟାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ୨୦୦୦ରୁ ୨୦୦୬ ମସିହା ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ଭାବେ ଡାକ୍ତର କେ. ହରିବନ୍ଧୁ ରେଡ୍ଡି ଦାୟିତ୍ବରେ ରହିଥିଲେ। ଏହାବ୍ୟତୀତ ଏଡିଏମ୍ଓ (ଜନସ୍ବାସ୍ଥ୍ୟ) ଏବଂ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଭାବେ ତାଙ୍କୁ ଦାୟିତ୍ବ ମିଳିଥିଲା। କାର୍ଯ୍ୟକାଳ ମଧ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ମିଳିଥିବା ସରକାରୀ ଟଙ୍କାକୁ ହଡ଼ପ କରିଥିବା ନେଇ ୨୦୦୭ ମସିହା ଅଗଷ୍ଟ ୧୦ରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ଭୁବନେଶ୍ବରର ସେବା ସପ୍ଲାଇ ଏଜେନ୍ସିକୁ ଗୋଟିଏ ବିଲ୍ରେ ୨ଲକ୍ଷ ୩ହଜାର ୯୩୯ଟଙ୍କା ଓ ପଟ୍ଟାଙ୍ଗି ସିଏଚ୍ସି-୨କୁ ୮୦ହଜାର ୫୦୦ ଟଙ୍କା ଓ ଅନ୍ୟାନ୍ୟ ବାବଦକୁ ୧ଲକ୍ଷ ୧୫ହଜାର ୫୬୧ଟଙ୍କା (ମୋଟ ୪ଲକ୍ଷ ୯୦୯ଟଙ୍କା) ପ୍ରଦାନ କରିଥିବା ଦର୍ଶାଇ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଥିଲା। ତେଣୁ ଡାକ୍ତର ରେଡ୍ଡିଙ୍କ ସହ ବରିଷ୍ଠ କିରାଣି ପି. ଭେଙ୍କଟ ଜଗନ୍ନାଥ ରାଓଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିଲା। ତେବେ ମାମଲାର ଶୁଣାଣି ମଧ୍ୟରେ ବରିଷ୍ଠ କିରାଣି ପି.ଭେଙ୍କଟ ରାଓଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଡାକ୍ତର ରେଡ୍ଡି ୪ଲକ୍ଷ ୯୦୯ଟଙ୍କା ସରକାରୀ ତହବିଲରେ ଜମା କରିଥିବା ତତ୍କାଳୀନ ସିଡିଏମଓଙ୍କ ଓକିଲ କୋର୍ଟରେ ଜଣାଇଥିଲେ। କୋର୍ଟ ଉଭୟପକ୍ଷର ଯୁକ୍ତି ଶୁଣିବା ପରେ ଡାକ୍ତର ରେଡିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ତଥା ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଶଶିଧର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।