ରାଉରକେଲା: ଓଡ଼ିଶା ଫୁଟବଲ ଦଳର ପୂର୍ବତନ ମ୍ୟାନେଜର ତଥା ବିଶିଷ୍ଟ ଫୁଟବଲ ପ୍ରଶାସକ କ୍ଷୀତିନାଥ ପାଣ୍ଡେ(୭୬)ଙ୍କର ବିୟୋଗ ହୋଇଯାଇଛି। ଶ୍ରୀ ପାଣ୍ଡେ ଦୀର୍ଘଦିନ ହେଲା କିଡ୍ନୀ ରୋଗରେ ଆକ୍ରାନ୍ତ ଥିଲେ। କିଡ୍ନୀ ଜନିତ ସମସ୍ୟାଯୋଗୁଁ ସେ ବହୁ ସମୟରେ ଅସୁସ୍ଥ ରହୁଥିଲେ। ରୁଟିନ୍ ଯାଞ୍ଚ ପାଇଁ ଗତକାଲି ତାଙ୍କୁ ଭୁବନେଶ୍ବରକୁ ନିଆଯାଉଥିଲା। ତେବେ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଗୁରୁବାର ଶୋକାକୁଳ ପରିବେଶରେ ବେଦବ୍ୟାସ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
ସ୍ବର୍ଗତ ପାଣ୍ଡେ ଜିଲ୍ଲାର ଫୁଟବଲ ଜଗତର ଜଣେ ପରିଚିତ ନାମ। ଫୁଟବଲ ପ୍ରତି ସେ ସମର୍ପିତ ଥିଲେ। ଜିଲ୍ଲା ଫୁଟବଲ ଦଳର ମ୍ୟାନେଜରଭାବେ ସେ ଏକାଧିକବାର ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିଲେ। ଏମିତିକି ୧୯୮୫ ମସିହାରେ ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଦଳର ମ୍ୟାନେଜର ଦାୟିତ୍ବ ତୁଲାଇଥିଲେ। ଏତଦ୍ବ୍ୟତୀତ ସେ ଦୀର୍ଘବର୍ଷ ପର୍ଯ୍ୟନ୍ତ ଦକ୍ଷିଣ ପୂର୍ବ ରେଳବାଇ ଫୁଟବଲ ଦଳର ମ୍ୟାନେଜରଭାବେ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କର ନେତୃତ୍ବ ବଳରେ ଜିଲ୍ଲା, ବିଶେଷକରି ରାଉରକେଲା ଓ ବନ୍ଧମୁଣ୍ଡାରେ ଏକାଧିକ ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ସୃଷ୍ଟି ହୋଇଥିଲେ। ଏହାସହ ରେଳବାଇ କର୍ମଚାରୀ ସଂଘର ଜଣେ ଟାଣୁଆ ନେତା ଥିଲେ। ତାଙ୍କ ବିୟୋଗରେ ଜିଲ୍ଲାର କ୍ରୀଡ଼ା ମହଲରେ ଶୋକର ଛାୟା ଖେଳିଯାଇଛି।
ଜାତୀୟ ଫୁଟବଲ ରେଫରୀ ଭାସ୍କର ନନ୍ଦ, ବିଭୂତି ଭୂଷଣ ମହାନ୍ତି, ପ୍ରଦୀପ୍ତ ମହାନ୍ତି, କେଶବ ପ୍ରଧାନ, ଜୀତେନ ପ୍ରଧାନ, ଭାନୁ ବାଉରୀ, ଜି. ସୁରେଶ କୁମାର, ରାଜେଶ ଭଇଁଶା, ଠାକୁର ମୁର୍ମୁ, ଦେବେନ୍ଦ୍ର ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/ft1.jpg)