୪ ବର୍ଷ ପରେ ଜେଲ୍‌ରୁ ମୁକୁଳି‌ଲେ ପୂର୍ବତନ ମେୟର ପିଣ୍ଟୁ

ବ୍ରହ୍ମପୁର : ଗତକାଲି ହାଇକୋର୍ଟରୁ ୫ଟି ମାମଲାରେ ଜାମିନ ପାଇବା ପରେ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ୍‌ ପିଣ୍ଟୁ ଶନିବାର ସଂଧ୍ୟାରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ମୁକୁଳିଛନ୍ତି। ତାଙ୍କ ନାମରେ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୫ଟି ମାମଲାରେ ହାଇକୋର୍ଟ ସର୍ତମୂଳକ ଜାମିନ୍‌ ପ୍ରଦାନ କରିଥିଲେ। ଶନିବାର ଦିନ ଜାମିନ୍‌ ସମ୍ପର୍କିତ କାଗଜପତ୍ର ବ୍ରହ୍ମପୁର ଏଡିଜେ-୨ କୋର୍ଟରେ ଦାଖଲ କରିବା ପରେ ପିଣ୍ଟୁ ଜେଲ୍‌ରୁ ବାହାରିଥିବା ତାଙ୍କର ଓକିଲ ଶିବ ନାରାୟଣ ସାହୁ ସୂଚନା ଦେଇଛନ୍ତି।

ପୂର୍ବତନ ମେୟର ପିଣ୍ଟୁଙ୍କ ନାମରେ ଦଳିତ ବର୍ଗର ଲୋକଙ୍କ ଜମି ହଡ଼ପ୍‌ ନେଇ ଅଭିଯୋଗ ହୋଇଥିଲା। ଜମି ହରାଇଥିବା ବ୍ୟକ୍ତିମାନେ ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ମାମଲା ରୁଜୁ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୋଳନ୍ଥରା ଥାନାରେ ପିଣ୍ଟୁଙ୍କ ନାମରେ ୫ଟି ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଜିଲ୍ଲାଜଜ୍‌ ପିଣ୍ଟୁଙ୍କ ଜାମିନ୍‌ ଆବେଦନ ଖାରଜ କରିଥିଲେ। ଏଣୁ ତାଙ୍କର ଓକିଲ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଆବେଦନର ଶୁଣାଣି କରି ୫ଟି ମାମଲାରେ ସର୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ଶନିବାର ସଂଧ୍ୟାରେ ପିଣ୍ଟୁ ଜେଲ୍‌ରୁ ବାହାରିବା ପରେ ତାଙ୍କର ବହୁ ସମର୍ଥକ ତାଙ୍କୁ ସ୍ବାଗତ କରିଛନ୍ତି। ପ୍ରକାଶ ଥାଉ କି ପିଣ୍ଟୁ ଗତ ପ୍ରାୟ ୪ବର୍ଷ ହେଲା ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିଲେ। ସେ ୩ଥର ଅନ୍ତରୀଣ ଜାମିନ୍‌ରେ ଆସିଥିବା ତାଙ୍କର ଓକିଲ କହିଛନ୍ତି।

ସମ୍ବନ୍ଧିତ ଖବର