ବାଲେଶ୍ବର/ଭୋଗରାଇ: ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସ(୮୬)ଙ୍କର ରବିବାର ପରଲୋକ ହୋଇଛି। ସେ ବହୁଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ।ଭୁବନେଶ୍ବରସ୍ଥିତ ବାସଭବନରେ ଆଜି ଭୋର୍‌ ସାଢ଼େ ୩ଟା ବେଳେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଜନ୍ମମାଟି ଭୋଗରାଇ ସମେତ ବାଲେଶ୍ବର ଜିଲ୍ଲା ଏବଂ ରାଜ୍ୟସ୍ତରରେ ବହୁ ନେତୃବୃନ୍ଦ ଶୋକପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଏକ୍ସ’ ଜରିଆରେ ସ୍ବର୍ଗତ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Advertisment

୧୯୪୦ ମସିହା ଅଗଷ୍ଟ ୨୮ରେ ଭୋଗରାଇ ବ୍ଲକ୍‌ ବାଲିମ ପଞ୍ଚାୟତର କୁରୁଠିଆ ଗ୍ରାମରେ ସ୍ବର୍ଗତ କାର୍ତ୍ତିକ ଚନ୍ଦ୍ର ଦାସ ଏବଂ ସ୍ବର୍ଗତ ଦୟାମଣି ଦାସଙ୍କ କୋଳରୁ ଜନ୍ମଗ୍ରହଣ କରିଥିବା ଅନନ୍ତ ଏମ୍‌ଏ ଏଲ୍‌ଏଲ୍‌ବି ପାସ୍ କରିବା ପରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ୧୯୬୨ ମସିହାରେ ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍‌)ରେ ଯୋଗଦେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଡିଓ, ତହସିଲଦାର ଭାବେ ଦାୟିତ୍ବ ତୁଲାଇବା ପରେ ୧୯୯୮ରେ ଭଦ୍ରକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସର ଗ୍ରହଣ କରିଥିଲେ। ଏହା ପରେ ସେ ଭୋଗରାଇ ବିକାଶ ପରିଷଦ ଗଠନ କରି ଭୋଗରାଇ ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଥିଲେ। ପରେ ଏନ୍‌ସିପିରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ହେଲେ ବିଜେଡି ଟିକେଟ୍‌ରେ ୨୦୦୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଭୋଗରାଇ ନିର୍ବାଚନମଣ୍ଡଳୀରୁ କ୍ରମାଗତ ଭାବେ ସେ ୪ଥର ବିଧାୟକ ନିର୍ବାଚିତ ହୋଇଥିଲେ। 

୨୦୦୯ରୁ ୨୦୧୪ ବିଧାନସଭାର ମୁଖ୍ୟ ସଚେତକ, ୨୦୧୪ରୁ ୨୦୧୯ ଉଚ୍ଚଶିକ୍ଷା ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଏବଂ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସେ ବାଲେଶ୍ବର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରହିଥିଲେ। ସର୍ବୋପରି ଭୋଗରାଇର ସାମଗ୍ରିକ ବିକାଶରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ତାଙ୍କ ବିୟୋଗରେ ପତ୍ନୀ ବାସନ୍ତୀ ଦାସ, ପୁତ୍ର ବିଶ୍ବଜିତ, ଅଭିଜିତ, ଶୁକଦେବ, ପୁତ୍ରବଧୂ ବିଜୟଶ୍ରୀ, ମଧୁସ୍ମିତା, ରଶ୍ମିତା, ନାତି ଚନ୍ଦ୍ରକାନ୍ତ ଓ ନାତୁଣୀ ଆଦ୍ୟା ପ୍ରମୁଖ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ସମଗ୍ର ଭୋଗରାଇ ଅଞ୍ଚଳରେ ଶୋକାକୁଳ ପରି‌ବେଶ ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତଚରଣ ଦାସ ଓ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସ୍ବର୍ଗତ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଆଜି ପୂର୍ବାହ୍‌ଣରେ ସ୍ବର୍ଗତ ଦାସଙ୍କୁ ଭୁବନେଶ୍ବରରୁ ବାଲେଶ୍ବରକୁ ଅଣାଯିବା ପୂର୍ବରୁ ବିଧାନସଭା ପରିସରରେ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ସବୁଦଳର ନେତାମାନେ ଉପସ୍ଥିତ ରହି ଶେଷଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଶଙ୍ଖ ଭବନକୁ ତାଙ୍କ ପାର୍ଥିବ ଶରୀର ନିଆଯାଇଥିଲା। ସେଠା‌ରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦ ତଥା କର୍ମୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ଅପରାହ୍‌ଣ ୩ଟାରେ ସ୍ବର୍ଗତ ଦାସଙ୍କ ପାର୍ଥିବ ଶରୀର ବାଲେଶ୍ବରରେ ପହଞ୍ଚିବା ପରେ ପ୍ରଥମେ ବାଲେଶ୍ବର ସହରର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଥିବା ତାଙ୍କ ବାସଭବନକୁ ନିଆଯାଇଥିଲା। ଏହାପରେ ଭୋଗରାଇସ୍ଥିତ ତାଙ୍କ ଜନ୍ମମାଟିକୁ ଶେଷକୃତ୍ୟ ନିମନ୍ତେ ନିଆଯାଇଛି।