ପୂର୍ବତନ ମନ୍ତ୍ରୀ ଓ ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ

ଭୁବନେଶ୍ୱର: ସୋମବାର ସକାଳେ ପୂର୍ବତନ ମନ୍ତ୍ରୀ ଓ ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀଙ୍କର ଭୁବନେଶ୍ୱରଠାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ବୟସାଧିକ୍ୟ ହେତୁ ବେଶ୍ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଆଜି ସକାଳ ୭:୧୦ ମିନିଟ୍‌ରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଛି।

୧୯୨୯ ମସିହା ନଭେମ୍ବର ୧୯ ତାରିଖରେ ଜନ୍ମିତ ଚୈତନ୍ୟ ପ୍ରସାଦ ବିଜ୍ଞାନରେ ସ୍ନାତକ କରିଥିଲେ। ସେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସଂରକ୍ଷିତ ଆସନରୁ ଜନତା ଦଳ ପ୍ରାର୍ଥୀ ଭାବେ ୧୯୮୬ ଓ ୧୯୯୦ରେ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ୨୦୦୪ରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ବାଙ୍ଗିରୀପୋଷୀ ସଂରକ୍ଷିତ ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଏଥିସହ ସେ ୧୯୭୨ରୁ ୧୯୭୬ ପର୍ଯ୍ୟନ୍ତ  ରାଜ୍ୟସଭା ସାଂସଦ ଥିଲେ।

ତାଙ୍କର ଦୀର୍ଘ ରାଜନୈତିକ ଜୀବନ ଭିତରେ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଅବସ୍ଥାପିତ ହୋଇଥିଲେ। ୧୯୯୦ ରୁ ୧୯୯୫ ଯାଏଁ ସ୍ୱର୍ଗତଃ ମାଝି ରାଜ୍ୟ ସରକାରରେ ଶିକ୍ଷା ଓ ଯୁବ କଲ୍ୟାଣ ମନ୍ତ୍ରୀ ଥିଲେ। ଏଥିସହ ୧୯୭୨ରୁ ୧୯୭୮ ଯାଏଁ ସେ କେନ୍ଦ୍ର ସରକାରରେ ପେଟ୍ରୋଲିୟମ୍‌ ଓ କେମିକାଲ୍‌ ବିଭାଗରେ ଉପମନ୍ତ୍ରୀ ଥିଲେ। ୧୯୭୯ରୁ ୧୯୮୫ ପର୍ଯ୍ୟନ୍ତ ସେ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଥିଲେ।

ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତ ମାଝୀ ଓଡ଼ିଶା ଓ ଅନୁସୂଚିତ ଜନଜାତିର ଲୋକଙ୍କ ବିକାଶ ପାଇଁ ବହୁ କାର୍ଯ୍ୟ କରିଛନ୍ତି ।

ସ୍ୱର୍ଗତଃ ଚୈତନ୍ୟ ପ୍ରସାଦ ମାଝୀଙ୍କ ଝିଅ ସରୋଜିନୀ ହେମ୍ବ୍ରମ୍ ବର୍ତ୍ତମାନ ବିଜୁ ଜନତା ଦଳର ସାଂସଦ ଅଛନ୍ତି।

ସମ୍ବନ୍ଧିତ ଖବର