କଟକ: ବିଜେଡି ସରକାର ସମୟର ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ବିଧାୟକ ତୁଷାରକାନ୍ତି ବେହେରା ସାଇବର୍ ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି। କାମ୍ବୋଡ଼ିଆର ପାର୍ଥ ଗୋପାନି ଗ୍ୟାଙ୍ଗ୍ ତୁଷାରକାନ୍ତିଙ୍କ ନିକଟରୁ ୧ କୋଟି ୪୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଅନ୍ଲାଇନ୍ ଟ୍ରେଡିଂର ଲୋଭ ଦେଖାଇ ତୁଷାରକାନ୍ତିଙ୍କ ନିକଟରୁ ସାଇବର୍ ଠକ ଏହି ଟଙ୍କା ଲୁଟିଛନ୍ତି। ଏଭଳି ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। କ୍ରାଇମ୍ବ୍ରାଞ୍ଚ ୭ ଜଣ ଠକଙ୍କୁ ତାମିଲନାଡ଼ୁ ଓ କର୍ଣ୍ଣାଟକରୁ ଗିରଫ କରିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ। କ୍ରାଇମ୍ବ୍ରାଞ୍ଚର ପୃଥକ୍ ଟିମ୍ ଏବେ କେରଳ, ଆସାମ, ପଶ୍ଚିମବଙ୍ଗରେ ଚଢ଼ଉ ଜାରି ରଖିଛି। ଗତ ଜାନୁଆରିରେ ବିଧାୟକ ତୁଷାରକାନ୍ତି ଏ ନେଇ ପୁଲିସ ଡିଜିଙ୍କ ନିକଟରେ ଫେରାଦ ହେବା ପରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଅଭିଯୋଗ ଅନୁଯାୟୀ, ଏହି ସାଇବର୍ ଠକ ଗୋଷ୍ଠୀ ତାଙ୍କୁ ଆଇପିଓ, ସେୟାର୍ ଓ ଓଟିସିରେ ନିବେଶ କଲେ ଅଧିକ ରିଟର୍ଣ୍ଣ ମିଳିବାର ଲୋଭ ଦେଖାଇଥିଲେ। ୨୦୨୪ ନଭେମ୍ବର ୧୩ରୁ ୨୦୨୫ ଜାନୁଆରି ୧ ଯାଏଁ ବିଭିନ୍ନ ପର୍ଯ୍ୟାୟରେ ଶ୍ରୀ ବେହେରା ୧ କୋଟି ୪୦ ଲକ୍ଷ ଟଙ୍କା ୧୯ଟି ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ। ଠକେଇର ଶିକାର ହୋଇଥିବା ଜାଣି ସେ ଡିଜିପିଙ୍କୁ ଫେରାଦ ହୋଇଥିଲେ। ଏହି ଘଟଣାରେ କ୍ରାଇମ୍ବ୍ରାଞ୍ଚ ୭ ଜଣ ସାଇବର୍ ଠକଙ୍କୁ କର୍ଣ୍ଣାଟକ ଓ ତାମିଲନାଡ଼ୁରୁ ଗିରଫ କରିଛି। କର୍ଣ୍ଣାଟକର ଜ୍ୟୋତି ରାଜୁ(୩୯), ରାଜୁ ସି(୩୪), ଇସ୍ମାଇଲ୍ ରାହିଦ(୨୭), ବାସିମ୍(୨୮), ତାମିଲନାଡ଼ୁରୁ ପାଟରାଜ ଏସ୍(୩୪), ଜେଗଥିସ୍ ରାଧାକ୍ରିଷ୍ଣନ(୪୦), ଇ ଶକ୍ତିକୁମାରଭେଲ୍(୫୦)ଙ୍କୁ ଗିରଫ କରାଯାଇଛି। ଗିରଫ ଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପଠାଯାଇଛି। ସମସ୍ତଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶାକୁ ଆଣାଯାଉଛି। କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ସାଇବର୍ ଥାନା ଆଇଆଇସି ଅନିଲା ଆନନ୍ଦ ଏହି ମାମଲାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/31/cyPrkECxWIecrrMgVxr7.jpg)