ପୂର୍ବତନ ପୂର୍ତ୍ତ ମୁଖ୍ୟଯନ୍ତ୍ରୀ ପରମାନନ୍ଦ ପାଢ଼ୀ ଆଉ ନାହାନ୍ତି

ଭୁବନେଶ୍ବର: ପୂର୍ତ୍ତ ବିଭାଗର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ପରମାନନ୍ଦ ପାଢ଼ୀଙ୍କର ୭୮ ବର୍ଷ ବୟସରେ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। କରୋନା ସଂକ୍ରମିତ ହୋଇ ଏମ୍‌ସରେ କିଛିଦିନ ଚିକିତ୍ସିତ ହେଉଥିବା ସ୍ବର୍ଗତ ପାଢ଼ୀଙ୍କ ମୃତ୍ୟୁରେ ଇଂଜିନିୟର ମହଲରେ ଗଭୀର ଶୋକପ୍ରକାଶ କରାଯାଇଛି। ବାଲେଶ୍ବର ସହରସ୍ଥିତ ଏଡିଏମ୍‌ ଛକର ସ୍ଥାୟୀ ବାସିନ୍ଦା ସ୍ବର୍ଗତ ପାଢ଼ୀ ୨୮ ଏପ୍ରିଲ ୧୯୪୨ରେ ଜନ୍ମଗ୍ରହଣ କରିଥିଲେ। ଖଡ଼ଗପୁର ଆଇଆଇଟିରୁ ସିଭିଲ ଇଂଜିନିୟରିଂରେ ଶିକ୍ଷା ସମାପ୍ତ କରି ପ୍ରଥମେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ ଯୋଗଦେଇ ପ୍ରଥମେ ବାଲେଶ୍ବର ଓ ପରେ ମୟୂରଭଂଜ ଏବଂ ସୁନ୍ଦରଗଡ଼ରେ କାର୍ଯ୍ୟ କରିଥିଲେ। ପରେ ନିର୍ବାହୀ ଯନ୍ତ୍ରୀ ଭାବେ ସଫଳତାର ସହ କେନ୍ଦୁଝର, ବାଲେଶ୍ବର ଓ ରାଇରଙ୍ଗପୁରରେ ଅବସ୍ଥାପିତ ହୋଇଥିଲେ। ସେହିପରି ଅଧୀକ୍ଷଣ ଯନ୍ତ୍ରୀ ଭାବେ ଯାଜପୁର ଓ ବାଲେଶ୍ବରରେ କାର୍ଯ୍ୟ କରିଥିଲେ।

ନିଜ କ୍ୟାରିୟର ଶେଷ ଭାଗରେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଭାବେ ପଦୋନ୍ନତି ପାଇ ବିଡିଏ, ହାଉସିଂ ବୋର୍ଡ ଆଦି ସଂସ୍ଥାରେ କୃତିତ୍ବର ସହ କାର୍ଯ୍ୟ କରିଥିଲେ। ଅବସର ଗ୍ରହଣ ପରେ କେନ୍ଦ୍ର ସରକାରଙ୍କ ପିଏମ୍‌ଜିଏସ୍‌ୱାଇରେ ଏନ୍‌କ୍ୟୁଏମ୍‌ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସୂଚନାଯୋଗ୍ୟ, ତାଙ୍କ ସହଧର୍ମିଣୀ ସ୍ବର୍ଣ୍ଣପ୍ରଭା ପାଢ଼ୀ କିଛିଦିନ ତଳେ ବାଥ୍‌ରୁମରେ ପଡ଼ି ଆହତ ହୋଇ ସେମାନଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଦୁଇପୁଅଙ୍କ ମଧ୍ୟରୁ ଜ୍ୟେଷ୍ଠପୁତ୍ର ନିହାର ରଂଜନ ନୈାବାହିନୀରେ ଇଂଜିନିୟର ଥିବା ବେଳେ ସାନପୁଅ ମାନସ ରଂଜନ ଓଡ଼ିଶା ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ ଭାବେ ଏବେ ଭୁବନେଶ୍ବରରେ ଅବସ୍ଥାପିତ। ଅତୀତରେ ବାଲେଶ୍ବର ଏଡିଏମ୍‌ ଭାବେ ଭାବେ କାର୍ଯ୍ୟ କରିଥିବା ମାନସ ରଂଜନ ଏବେ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ଘରୋଇ ସଚିବ ଭାବେ କାର୍ଯ୍ୟରତ। ଏକମାତ୍ର କନ୍ୟା ବବିତାଙ୍କ ସ୍ବାମୀ ପ୍ରଣବିନ୍ଦୁ ଆଚାର୍ଯ୍ୟ ଓଡ଼ିଶା କ୍ୟାଡର୍‌ର ଜଣେ ଜଣାଶୁଣା ବରିଷ୍ଠ ଆଇପିଏସ୍ ଅଧିକାରୀ ଅଟନ୍ତି। ଜୀବନର ଶେଷ ଯାଏ ସମ୍ପୂର୍ଣ୍ଣ ସୁସ୍ଥ ଓ ଚଳଚଞ୍ଚଳ ରହି ବ୍ୟାପକ ଜନସମ୍ପର୍କରେ ଥିବା ସ୍ବର୍ଗତ ପାଢ଼ୀ ତାଙ୍କ ଜୀବଦ୍ଦଶାରେ ଅନେକ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ସଂପୃକ୍ତ ରହି ସମାଜସେବାରେ ନିୟୋଜିତ ଥିଲେ। ବୁଧବାର ପୂର୍ବାହ୍ନରେ ତାଙ୍କ ଶେଷକୃତ ସମ୍ପନ୍ନ ହେବ ବୋଲି ସାନପୁଅ ମାନସ ରଂଜନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର