ଜୟପୁର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିକିତ୍ସା ନିମନ୍ତେ ତାଙ୍କୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ଆପଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ପତ୍ନୀ ତଥା ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ ସୂଚନା ଦେଇଛନ୍ତି।

Advertisment

ଗତକାଲି ଶ୍ରୀ ନନ୍ଦ ଗୋଟିଏ ବିବାହ ଭୋଜିରେ ଯୋଗଦେଇଥିଲେ। ସେଠାରୁ ଫେରିବା ପରେ ଘରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ। ଆଜି ଅପରାହ୍ନରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜିଲ୍ଲା ମେଡିକାଲ ଅଧିକାରୀ ଡାକ୍ତର ଆର.ଏନ୍ ମିଶ୍ର ଚିକିତ୍ସା ଆରମ୍ଭ କରିଥିଲେ। ରକ୍ତଚାପ ଅସ୍ଥିର ରହିଥିବାରୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ, ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ଅଧିକ ଚିକିତ୍ସା ପାଇଁ ବାହାରକୁ ନେଇଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ରକ୍ତଚାପ ସାମାନ୍ୟ ହେବାପରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବିଶାଖାପାଟଣା ନିଆଯାଇଥିଲା। ଏହି ଖବର ପାଇବା ପରେ ସମର୍ଥକ ଏବଂ ଶୁଭେଚ୍ଛୁ ଆଶୁ ଆରୋଗ୍ୟ କାମନା କରିଛନ୍ତି।