ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ପରଲୋକ

ବରପାଲି : ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ରିପୁନାଥ ସେଠ୍‌ଙ୍କର ରବିବାର ସକାଳେ ବିୟୋଗ ଘଟିଛି। ତାଙ୍କୁ ୬୪ ବର୍ଷ ହୋଇଥିଲା। ରବିବାର ଦିନ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ସେ ନିଜେ ତାଙ୍କ ସ୍କୁଟିରେ ବରପାଲିର ଏକ ନର୍ସିଂହୋମ୍‌କୁ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦିନ ୧୧.୨୦ଟାରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ଦେହାନ୍ତରେ ବରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ସେ ପତ୍ନୀ ଯାଜ୍ଞସେନୀ, ପୁଅ ଅନିମେଶ, ଅଭିଷେକ ଓ ଅଂଶୁମାନଙ୍କ ସହ ପରିବାରବର୍ଗଙ୍କୁ ଛାଡ଼ି ଚାଲିଯାଇଛନ୍ତି।

ବରଗଡ଼ ଜିଲ୍ଲା ବରପାଲି ନିବାସୀ ସେଠ୍‌ କଂଗ୍ରେସରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କଠାରୁ ପ୍ରେରଣା ପାଇ ରାଜନୀତିକୁ ପ୍ରବେଶ କରିଥିଲେ। ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସହିତ ତାଙ୍କ ଭଲ ସମ୍ପର୍କ ରହିଥିଲା। ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ସେ ପ୍ରଥମେ ବରପାଲି ଏନ୍‌ଏସି ଅଧ୍ୟକ୍ଷ ଥିଲେ। ୧୯୯୫ରେ ବିଜେପୁର ଆସନରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ବାଳଙ୍କ ମନ୍ତ୍ରିମଣ୍ଡଳରେ ଗଣଶିକ୍ଷା ମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ୨୦୧୯ ନିର୍ବାଚନରେ ମଧ୍ୟ ସେ ବିଜେପୁରରେ କଂଗ୍ରେସ ପ୍ରାର୍ଥୀ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ନିର୍ବାଚନରେ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା।

ତାଙ୍କ ବିୟୋଗ ପରେ ପଶ୍ଚିମ ଓଡ଼ିଶା ଜଣେ ଟାଣୁଆ କଂଗ୍ରେସ ନେତାଙ୍କୁ ହରାଇଛି। ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି, ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ଶୋକପ୍ରକାଶ କରି କହିଛନ୍ତି, ଗଙ୍ଗାଧର ମେହେର କଲେଜରେ ଅଧ୍ୟୟନ ସମୟରୁ ରିପୁନାଥ ତାଙ୍କର ଜଣେ ଭଲ ବନ୍ଧୁ ଥିଲେ। ତାଙ୍କ ବିୟୋଗ ଉଭୟ ତାଙ୍କ ପାଇଁ ଓ କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର