ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

କେନ୍ଦୁଝର/ଭୁବନେଶ୍ୱର: ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସହରାଇ ଓରାମଙ୍କର ଆଜି ପରଲୋକ ହୋଇଯାଇଛି । ସେ ଦୀର୍ଘ ୫ ବର୍ଷ ହେବ ପକ୍ଷାଘାତ ରୋଗ ଯୋଗୁଁ ଶଯ୍ୟାଶାୟୀ ଥିଲେ । ଭଦ୍ରାସାହିସ୍ଥିତ ବାସଭବନରେ ଆଜି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ସେ  ବିଜୁ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଥିଲେ । କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଆସନରୁ ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ତାଙ୍କର ବିୟୋଗ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସ୍ବର୍ଗତଃ ଓରାମଙ୍କ ବିୟ‌ୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି।

ସ୍ୱଗର୍ତ ଓରାମ ୧୯୪୨ ମସିହା ଜାନୁଆରି ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ସ୍ୱର୍ଗତ କହ୍ନେଇ ଓରାମ ଓ ପତ୍ନୀଙ୍କ ନାମ ଶାନ୍ତିଲତା ଓରାମ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା  ସ୍ନାତକ । ସେ ବୃତ୍ତିରେ ଜଣେ ଚାଷୀ ଥିଲେ । ସମାଜସେବା ଓ ରାଜନୀତି ସହ  କ୍ଷୁଦ୍ର ଗଳ୍ପ ଲେଖିବାକୁ ଭଲ ପାଉଥିଲେ ସହରାଇ ଓରାମ । ଅବସର ସମୟରେ ଗଛ ଲଗାଉଥିଲେ । ସେ ଥିଲେ ଜଣେ ଭଲ ସଂଗଠକ । ଆଦିବାସୀ ନୃତ୍ୟ, ଆଦିବାସୀ କଳାକୁ ଖୁବ୍ ଭଲ ପାଉଥିଲେ । ଏହାକୁ ପ୍ରୋତ୍ସାହନ ଦେବା ଦିଗରେ କାମ ମଧ୍ୟ କରୁଥିଲେ ।

ରାଞ୍ଚି ବିଶ୍ୱବିଦ୍ୟାଳୟରେ ପଢୁଥିବା ବେଳେ ସେ ଜଣେ ଭଲ ଫୁଟବଲ ଖେଳାଳି ଭାବେ ନାଁ କରିଥିଲେ । ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଅନେକଗୁଡ଼ିଏ ମିନି ଷ୍ଟାଡିୟମ ନିର୍ମାଣରେ ତାଙ୍କର ଅବଦାନ ରହିଛି । ଛାତ୍ର ଜୀବନରେ ସେ ଷଢ଼େଇକଳା-ଖରସୁଆଁ ଆନ୍ଦୋଳନରେ ଭାଗ ନେଇଥିଲେ ।

ଚମ୍ପୁଆରେ ରାଜନୈତିକ କ୍ୟାରିୟର

ଉତ୍କଳ କଂଗ୍ରେସ ଟିକେଟରେ ପଞ୍ଚମ ବିଧାନସଭା (୧୯୭୧-୧୯୭୩)
ଜନତା ଟିକେଟରେ ୭ମ ବିଧାନସଭା (୧୯୭୭-୧୯୮୦)
ଜନତା ଦଳ (ଏସ) ଟିକେଟରେ ୮ମ ବିଧାନସଭା (୧୯୮୦-୧୯୮୫)
ଜନତା ଦଳ ଟିକେଟରେ୧୦ମ ବିଧାନସଭା (୧୯୯୦-୧୯୯୫)
ସ୍ୱାଧନୀ ପ୍ରାର୍ଥୀ:  ଦ୍ୱାଦଶ ବିଧାନସଭା (୨୦୦୦-୨୦୦୪)

ସମ୍ବନ୍ଧିତ ଖବର