ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାୟକଙ୍କର ପରଲୋକ ହୋଇଛି। ଦୀର୍ଘ ବର୍ଷ ଧରି ସେ ଅସୁସ୍ଥ ଥିଲେ। ଆଜି ସକାଳୁ ସେ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ଭୁବନେଶ୍ବର ମେଘେଶ୍ବର ମନ୍ଦିର ସମ୍ମୁଖରେ ଥିବା ବାସଭବନରୁ ହସ୍ପିଟାଲ୍ ନେବା ବାଟରେ ଭୋର୍ ୫ଟାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି।
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ୍ ଉପୂଳର ଏକ ଛୋଟିଆ ଗାଁ ଅଣକଣାରେ ସ୍ବାଧୀନତା ପୂର୍ବରୁ ତଥା ୧୯୩୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଜନନେତା ସୁରେନ୍ଦ୍ର ନାୟକ। ପିଲାବେଳରୁ ଜନସାଧାରଣଙ୍କ ସେବା ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା। ଗାଁରେ ସମସ୍ୟାରେ ପଡ଼ିଥିବା ଲୋକଙ୍କୁ ନିଜର ସାମର୍ଥ୍ୟ ଅନୁସାରେ ସହଯୋଗର ହାତ ବଢ଼ାଉଥିଲେ। ୧୯୬୦ ମସିହାରେ ଅସ୍ତରଙ୍ଗ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ୧୯୭୧ ମସିହାରେ କାକଟପୁର ନିର୍ବାଚନମଣ୍ଡଳୀରୁ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୭୭ ଓ ୧୯୮୫ରେ ଜନତା ପାର୍ଟି ଏବଂ ୧୯୯୦ ଓ ୧୯୯୬ରେ ଜନତା ଦଳରୁ ବିଧାୟକ ଥିଲେ। ୨୦୦୦ ଓ ୨୦୦୪ ମସିହାରେ ବିଜେଡି ଦଳରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ କାକଟପୁର ନିର୍ବାଚନ ମଣ୍ଡଳୀରୁ ମୋଟ୍ ୭ ଥର ବିଧାନସଭାକୁ ପ୍ରତିନିଧିତ୍ବ କରିଥିବା ବେଳେ କୃଷି, ଶିକ୍ଷା, ପଞ୍ଚାୟତରାଜ, ରାଜସ୍ବ ଓ ଅବକାରୀ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ୧୯୭୭ ମସିହାରେ ଶ୍ରୀ ନାୟକ ବିଧାନସଭାର ଉପବାଚସ୍ପତି ହୋଇଥିଲେ। ୧୯୯୦ରୁ ୧୯୯୫ ଏବଂ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ମନ୍ତ୍ରୀ ଥାଇ ବେଶ୍ ସଫଳତାର ସହ କାର୍ଯ୍ୟ କରିଥିଲେ।
ଲୋକପ୍ରିୟ ବିଧାୟକ, ଦକ୍ଷ ମନ୍ତ୍ରୀ ଥିଲେ
ଗାଁରେ ହେଲା ଶେଷକୃତ୍ୟ
କାକଟପୁରରୁ ୭ ଥର ବିଧାୟକ ହୋଇଥିଲେ
ଶିକ୍ଷାଗତ ଯୋଗ୍ୟତା ବେଶି ନଥିଲେ ଶ୍ରୀ ନାୟକ ଜନସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ନିର୍ବାଚନୀ ରାଜନୀତିରେ ସେ ବେଶ୍ ସଫଳ ହେବା ସହ ଜଣେ ଲୋକପ୍ରିୟ ବିଧାୟକ ଓ ଦକ୍ଷ ମନ୍ତ୍ରୀ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ। ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସେ ଅନ୍ୟତମ ଘନିଷ୍ଠ ସହଯୋଗୀ ଥିଲେ। ସେ ରାଗୀ ସ୍ବଭାବର ଥିବାରୁ ରାଜନୀତିର ‘ଦୁର୍ବାସା’ ଭାବେ ପରିଚିତ ହୋଇଥିଲେ। ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟ ତଥା ନୀର୍ଭିକ ଭାବେ ନିଜ ମତ ରଖି ସେ ବେଶ୍ ଚର୍ଚ୍ଚିତ ଥିଲେ। ୨୦୦୯ ମସିହାରେ ସେ ଆଉ ପ୍ରତ୍ୟକ୍ଷ ରାଜନୀତିରେ ରହି ନଥିଲେ। ୨୦୦୯ରୁ ୨୦୧୪ ଯାଏ ସେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବରେ ରହିଥିଲେ। ତେବେ ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ୨୦୧୯ ମସିହାରୁ ଶ୍ରୀ ନାୟକ ଅସୁସ୍ଥ ଥିଲେ। କିନ୍ତୁ ନିୟମିତ ଗୀତା ଓ ଗାନ୍ଧୀ ସାହିତ୍ୟ ପଢ଼ୁଥିଲେ। ଅସୁସ୍ଥତା ସତ୍ତ୍ୱେ ନିଜର ପୂର୍ବ ନିର୍ବାଚନମଣ୍ଡଳୀ କାକଟପୁର, ଅସ୍ତରଙ୍ଗ ସମେତ ଅନ୍ୟ ଅଞ୍ଚଳର ବନ୍ଧୁମାନଙ୍କ ସହିତ ସେ ସଂପର୍କରେ ରହିଥିଲେ। କିଛି ଦିନ ତଳେ, ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କ ବାସଭବନରେ ଭେଟିଥିଲେ। ଏହି ଦୁଇ ନେତା ପରସ୍ପରକୁ ଭେଟିବା ବେଳେ ଭାବ ବିହ୍ୱଳ ହୋଇ କାନ୍ଦି ପକାଇଥିଲେ। ଆଜି ତାଙ୍କ ମୃତ୍ୟୁ ଖବର ପାଇବା ପରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।
ଟଙ୍କପାଣି ରୋଡ୍ସ୍ଥିତ ବାସଭବନରୁ ତାଙ୍କ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସମେତ ବହୁ ମନ୍ତ୍ରୀ ଓ ବିଧାୟକ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ପରେ ଶଙ୍ଖ ଭବନରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମେୟର ସୁଲୋଚନା ଦାସ, କର୍ପୋରେଟର ଓ ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ କାକଟପୁର, ଅସ୍ତରଙ୍ଗ ଦେଇ ନିଜ ଗାଁ ଅଣିକଣାକୁ ନିଆଯାଇଥିଲା। ଗାଁ ଶ୍ମଶାନରେ ଶୋକାକୁଳ ପରିବେଶରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ତଥା ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସ୍ବାଧୀନ ନାୟକ ମୁଖାଗ୍ନୀ ଦେଇଥିଲେ। ଶେଷ ସମୟରେ ସାନ ପୁଅ ସନ୍ତୋଷ ନାୟକ, ଝିଅ ଆରତୀ ନାୟକ, ଗୀତାଞ୍ଜଳି ସ୍ବାଇଁ, ଭାରତୀ ନାୟକ, ପୁତୁରା ତଥା ଭୁବନେଶ୍ବର କର୍ପୋରେଟର ନୃପେଶ ନାୟକ, ବୋହୂ, ଜ୍ବାଇଁ, ନାତି, ନାତୁଣୀ ଓ ବନ୍ଧୁ ପରିବାର ବର୍ଗ ଉପସ୍ଥିତ ଥିଲେ।