ଭୁବନେଶ୍ୱର: ପାର୍ବଣ ଋତୁ ଦଶହରାକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହେବାକୁ ଯାଉଥିବାବେଳେ ରାସ୍ତାଘାଟ ଓ ଗମନାଗମନ ନେଇ ଭୁବନେଶ୍ୱର, କଟକ ସମେତ ସବୁ ସହର ଓ ରାଜ୍ୟବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତା ଉପରେ ଦୃଷ୍ଟି ଦେବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ଇଂଜିନିୟରମାନେ କ୍ଷେତ୍ର ପରିଦର୍ଶନ କରି ଦୁଇଦିନ ଭିତରେ ରାସ୍ତାର ସ୍ଥିତି ସଂପର୍କିତ ବିସ୍ତୃତ ରିପୋର୍ଟ ଦେବା ସହ ସେପ୍ଟେମ୍ବର ୨୦ ଭିତରେ ରାସ୍ତାର ଖାଲଖମା ମରାମତି ପାଇଁ କହିଛନ୍ତି। ରାସ୍ତାର ସ୍ଥିତାବସ୍ଥା ନେଇ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ୟୁନିଟ୍-୫ସ୍ଥିତ ନିର୍ମାଣ ସୌଧ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସହ ସବୁ ପ୍ରମୁଖ ସହର ଓ ସମସ୍ତ ଜିଲ୍ଲାର ରାସ୍ତାଘାଟର ସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ତ୍ରୀ କହିଛନ୍ତି, ବର୍ଷାଋତୁ ଆସିଲେ ରାସ୍ତାରେ ଖାଲଖମା ହେବା ଏବଂ ରାସ୍ତା ଖରାପ ହେବା ଏକ ସାଧାରଣ ପ୍ରକ୍ରିୟା। ତେବେ ଏହାକୁ ତୁରନ୍ତ ମରାମତି କରି ଜନସାଧାରଣଙ୍କୁ ଏକ ସୁଖଦ ଅନୁଭୂତି ପ୍ରଦାନ କରିବା ଆମ ସରକାରଙ୍କ ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। ବର୍ତ୍ତମାନ ନୂତନ ନିଯୁକ୍ତି ଜରିଆରେ ବହୁ ପ୍ରତିଭାବାନ ଅଧିକାରୀ ଓ ଇଞ୍ଜିନିୟରମାନେ ବିଭାଗରେ ଯୋଗ ଦେଇଛନ୍ତି। ତେଣୁ ଇଞ୍ଜିନିୟରମାନେ ସେମାନଙ୍କ ଜ୍ଞାନର ଉପଯୋଗ କରି ସ୍ଥାୟୀ ଓ ସୁନ୍ଦର ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି।
ଦୁଇଦିନରେ ରାସ୍ତାର ସ୍ଥିତି ଜଣାଇବେ ଯନ୍ତ୍ରୀ
ସମନ୍ବୟ ଅଭାବରୁ ରାସ୍ତା ସ୍ଥିତି ବେହାଲ୍
ଏଥିସହ ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟର ସବୁ ପ୍ରମୁଖ ରାସ୍ତାକୁ ଖାଲଖମାମୁକ୍ତ କରିବା ଏବଂ ପରବର୍ତ୍ତୀ ଅକ୍ଟୋବର ୨ରୁ ଖରାପ ଅବସ୍ଥାରେ ଥିବା ରାସ୍ତାର ସମ୍ପୂର୍ଣ୍ଣ ନବୀକରଣ କରିବା ପାଇଁ ଇଞ୍ଜିନିୟରମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କହିଥିଲେ, ଅନେକ ସମୟରେ ବିଭିନ୍ନ ସଂସ୍ଥା ବିନା ଅନୁମତିରେ ପାଇପ୍ ବିଛାଇବା, ଇଲେକ୍ଟ୍ରି ଲାଇନ୍ ପକାଇବା ଅବା ଅନ୍ୟ ୟୁଟିଲିଟି କରିଡର ନାମରେ ଭଲଥିବା ରାସ୍ତାକୁ ଖୋଳି ପକାଉଛନ୍ତି। ଏହା ଦ୍ୱାରା ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ରାସ୍ତାଟି ଖରାପ ହୋଇଯାଉଛି। ସେହିଭଳି ବିଏମ୍ସି, ଇଡ୍କୋ, ଓପିଟିସିଏଲ୍, ୱାଟ୍କୋ ଆଦିର ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ରାସ୍ତା-ଡ୍ରେନ୍ ଆଦି ଖରାପ ହେଉଛି। ତେଣୁ ରାସ୍ତାର ମରାମତି, ସ୍ଥାୟିତ୍ୱ ଓ କ୍ଷତିଭରଣା ପାଇଁ କ’ଣ କରାଯାଇପାରିବ, ସେ ଉପରେ ଆଲୋଚନା କରିଥିଲେ। ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, କଟକ ମହାନଗର ନିଗମର ମେୟର ସୁବାସ ସିଂ, ବିଏମ୍ସି କମିସନର ଚଞ୍ଚଳ ରାଣା, ସିଏମ୍ସି କମିସନର କିରନ୍ଦୀପ୍ କୌର ସହୋତା, ନଗର ଉନ୍ନୟନ ବିଭାଗ(ମ୍ୟୁନିସିପାଲ ପ୍ରଶାସନ) ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ବରିଷ୍ଠ ରାଜନେତା ନୟନ କିଶୋର ମହାନ୍ତି ଓ ଜଗନ୍ନାଥ ପ୍ରଧାନ, ଇଆଇସି ଏଲ୍ କେ ପାଢ଼ୀ, ଇଆଇସି(ସିଭିଲ୍) ସତ୍ୟବ୍ରତ ବେହେରା, ମୁଖ୍ୟଯନ୍ତ୍ରୀ(ରାସ୍ତା-୧) ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ(ରାସ୍ତା-୨) ଶିବବ୍ରତ ତରିଆ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ(ଭୁବନେଶ୍ୱର) ମନୋଜ ମହାନନ୍ଦଙ୍କ ସମେତ ବିଭାଗର ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଏବଂ ଅନ୍ୟ ସଂପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/07/shsffhfh-2025-09-07-03-54-24.jpg)