ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଦେହାନ୍ତ

ଗଞ୍ଜାମ/ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ (୭୦)ଙ୍କ ଗୁରୁବାର ଦିନ ହୃଦ୍‌ଘାତରେ ପର‌ଲୋକ ଘଟିଛି। ରମ୍ଭା ସହରସ୍ଥିତ ବାସଭବନରେ ଆଜି ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଖଲ୍ଲିକୋଟ ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହେବାକ୍ଷଣି ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତା ‌ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସ୍ବର୍ଗତ ସେଠୀ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ମାଲୁଦ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ୍ ଗୁହାରିଆପାଟ ପ୍ରାଥମିକ ବିଦ୍ୟାଳୟରୁ ସେ ପ୍ରଥମେ ଶିକ୍ଷକତା ଆରମ୍ଭ କରିଥିଲେ। ୨୦୦୮ମସିହାରେ ରମ୍ଭା ଏନ୍‌ଏସି ଟିକରପଡ଼ା ସ୍କୁଲ୍‌ରୁ ସ୍ବେଚ୍ଛାକୃତ ଭାବେ ଅବସର ଗ୍ରହଣ କରି ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୨୦୦୯ ମସିହାରେ ବାମଦଳରୁ ପ୍ରାର୍ଥୀ ହୋଇ ବିଜୟ ହାସଲ କରିଥିଲେ। ୨୦୧୪ରେ ସିପିଆଇରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ସେ ଅଦ୍ୟାବଧି ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଥିବା ବେଳେ ଗଞ୍ଜାମ ମହାବିଦ୍ୟାଳୟର ପରିଚାଳନା କମିଟିର ପୂର୍ବତନ ସଭାପତି ଭାବେ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ଏହାସହ ବିଭିନ୍ନ ଶିକ୍ଷକ ଓ ଶ୍ରମିକ ସଂଗଠନ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଅବସ୍ଥାପିତ ଥିଲେ।

ରମ୍ଭା ସହର ଶ୍ମଶାନରେ ଏହି ପୂର୍ବତନ ବିଧାୟକଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ବଡ଼ପୁଅ ଆଦିତ୍ୟ ମୁଖାଗ୍ନି ଦେଇଥିଲେ। ପତ୍ନୀ ତଥା ଶିକ୍ଷୟିତ୍ରୀ ଶୈଳବାଳା, ପୁଅ ଆଲୋକ, ଝିଅ ସସ୍ମିତା, ସୁନିତା ଓ​ ଶ୍ବେତାଲିନାଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ପୂର୍ବରୁ ସ୍ବର୍ଗତ ସେଠୀଙ୍କ ପ୍ରଥମ ପତ୍ନୀ ତୁଳସୀ ସେଠୀଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର