କେନ୍ଦ୍ରାପଡ଼ା/ରାଜନଗର: ରାଜନଗରର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଆଜି ସକାଳୁ ଅଂଶୁମାନଙ୍କ କଂଗ୍ରେସରୁ ଇସ୍ତଫା ଖବର ପ୍ରଚାରିତ ହେବା ପରେ ରାଜନଗର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିବାରୁ ତାଙ୍କର ଆଗାମୀ ପଦକ୍ଷେପ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରୁ ନାହିଁ। ଅଂଶୁମାନ ବିଜେଡିରେ ସାମିଲ ହେବାକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଥିବା ବେଳେ ବାସ୍ତବରେ ସେ ବିଜେଡି ନା ବିଜେପିକୁ ଯିବେ, ତାହାକୁ ନେଇ ଏବେ ବି ଦ୍ବନ୍ଦ୍ବ ରହିଛି। ଅଂଶୁମାନ ଯଦି ବିଜେଡିକୁ ଆସନ୍ତି ତେବେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସ୍ଥିତିକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି।
ଅଂଶୁମାନ ହେଉଛନ୍ତି ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ନେତା ସ୍ବର୍ଗତ ନଳିନୀ ମହାନ୍ତିଙ୍କୁ ପୁଅ। ୨୦୧୪ରୁ ୨୦୧୯ ଯାଏ ସେ କଂଗ୍ରେସରୁ ନିର୍ବାଚନ ଲଢି ରାଜନଗରର ବିଧାୟକ ଥିଲେ ା କିନ୍ତୁ ୨୦୧୯ ନିର୍ବାଚନରେ ଧ୍ରୁବ ସାହୁଙ୍କ ଠାରୁ ହାରି ଯାଇଥିଲେ। ପରବର୍ତ୍ତୀ ସମୟରେ ଦଳ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଥିଲା। ୨୦୨୦ରୁ ସେ ସଭାପତି ଦାୟିତ୍ବ ତୁଲାଇ ଆସୁଥିଲେ ା କିନ୍ତୁ କଂଗ୍ରେସରେ ଥିବା ସମୟରୁ ସେ ବିଜେଡିକୁ ଯିବା ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ହେଇ ଆସୁଥିଲା ା ଏଭଳି ଚର୍ଚ୍ଚା ଭିତରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ତା ଟିଫିନ୍ ପେ ଚର୍ଚ୍ଚା ବୈଠକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅଂଶୁମାନଙ୍କ ନିଜ ଗାଁ ରାଜନଗର ବ୍ଲକର ଫିରିକିଦାଣ୍ତିରେ ପହଁଚି ନଳିନୀ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ବୈଠକ ଆରମ୍ଭ କରିଥିଲେ। ସେବେଠୁ ତାଙ୍କର ବିଜେପିରେ ଯୋଗ ଦେବା ସମ୍ଭାବନାକୁ ନେଇ ବି ଆଲୋଚନା ଚାଲିଲା। ଏ ସବୁ ଭିତରେ କଂଗ୍ରେସ ପକ୍ଷରୁ ଗତ ୭ରୁ ୧୧ ତାରିଖ ଯାଏ ଅନଲାଇନରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ଅଂଶୁମାନ କଂଗ୍ରେସ ଦଳରୁ ରାଜନଗର ବିଧାନସଭା ନିର୍ବାଚନମଣ୍ତଳୀରୁ ବିଧାୟକ ପଦରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଆବେଦନ କରିଥିଲେ। ତେବେ ଅଂଶୁମାନ ନିଜେ ଏହି ସୂଚନା ଦେବାର ଗୋଟିଏ ସପ୍ତାହ ନ ପୂରଣୁ ଆଜି ହଠାତ୍ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନୀତିକୁ ସରଗରମ କରିଛି।