ହାଇୱା ଧକ୍କାରେ ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦା​ସଙ୍କ ମୃତ୍ୟୁ

ଯାଜପୁରସଦର/ଦଶରଥପୁର/ବିଂଝାରପୁର : ଯାଜପୁରର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପୁଅ ତଥା ବିଂଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ(୬୫)ଙ୍କର ଶନିବାର ପୂର୍ବାହ୍ଣରେ ଏକ ହାଇୱା ଧକ୍କାରେ ମୃତ୍ୟୁ ହୋଇଛି। ସେ ବାଇକ୍‌ରେ ଯାଉଥିବା ବେଳେ ଯାଜପୁର ଖରସ୍ରୋତା ବ୍ରିଜ୍‌ ଉପରେ ଦୁର୍ଘଟଣାର ଶିକାର ହୋଇଥିଲେ। ଚିପ୍ସ ପରିବହନ କରୁଥିବା ହାଇୱାଟି ଦ୍ରୁତଗତିରେ ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସହିତ ଯାଉଥିବା ଅନନ୍ତ ମହାନ୍ତି ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଶନିବାର ଦିନ ଭାରତ ରାଷ୍ଟ୍ର ସମିତି ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ କୃଷକ ସମ୍ମିଳନୀରେ ଯୋଗଦେବାକୁ ଅର୍ଜୁନ ଚରଣ ଦାସ ଓ ତାଙ୍କ ସହଯୋଗୀ ଅନନ୍ତ ମହାନ୍ତି ଯାଉଥିଲେ। ଚିପ୍ସ ଖାଲି କରି ଫେରୁଥିବା ଓଆର-୧୦ଏଚ-୬୦୧୯ ନମ୍ବର ହାଇୱା ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ବ୍ରିଜ୍‌ ଉପରେ ବାଇକ୍‌କୁ ଧକ୍କା ଦେଇ ଶ୍ରୀ ଦାସ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଅନନ୍ତଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଯାଜପୁର ସଦର ପୁଲିସ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିଥିବା ବେଳେ ଅଭିଯୁକ୍ତ ଚାଳକ ବଡ଼ଚଣା ଥାନା ଧାନମଣ୍ଡଳ ଫାଣ୍ଡି ଅନ୍ତର୍ଗତ ସଂଜୟନଗର ଗ୍ରାମର ସୁରେଶ ସାହୁଙ୍କ ପୁଅ ଗଦାଧର(୨୪)କୁ ଗିରଫ କରିଛି। ସଦର ଥାନା କେସ୍‌ ନମ୍ବର ୨୯/୨୩ ଦଫା ୨୭୯, ୩୩୭, ୩୩୮, ୩୦୪(ଏ)ରେ ମାମଲା ରୁଜୁ କରାଯାଇଛି।

ସୂଚନା ଯୋଗ୍ୟ ଯେ, ଅର୍ଜୁନ ଚରଣ ଦାସ ୧୯୯୫ ରୁ ୨୦୦୦ ମସିହା ଯାଏ ବିଂଝାରପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ବିଧାୟକ ଥିଲେ। କିଛିଦିନ ତଳେ ସେ ହାଇଦ୍ରାବାଦ୍‌ ଯାଇ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ସାମିଲ ହୋଇଥିଲେ। ଆଜି ରାଜସ୍ବ ମନ୍ତ୍ରୀ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିଆରଏସ୍‌ ନେତା ଶିଶିର ଗମାଙ୍ଗ, ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର, ସଚିବ ଶେଷଦେବ ନନ୍ଦ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଓ ଯାଜପୁର ଥାନା ଆଇଆଇସି ଅଜୟ କୁମାର ଜେନାଙ୍କ ନେତୃତ୍ବରେ ସ୍ବର୍ଗତ ଦାସଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତ ଅନ୍ତର୍ଗତ ବିଜିପୁର ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ପୁଅ ଅସିତ କୁମାର ଦାସ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର