କେନ୍ଦୁଝର : ତେଲକୋଇର ସର୍ବକନିଷ୍ଠ ବିଧାୟକ ଥିଲେ ବେଦବ୍ୟାସ ନାଏକ। ନିଜ ଗାଁ କରମଙ୍ଗୀରେ ରହୁଥିବା ବେଦବ୍ୟାସଙ୍କ ବାପା ନୀଳାଦ୍ରି ନାଏକ ତେଲକୋଇ ନିର୍ବାଚନମଣ୍ଡଳୀରୁ ସାତ ସାତ ଥର ବିଧାୟକ ହେବା ସହିତ ଏକଦା ବିଜୁବାବୁଙ୍କର ଏକାନ୍ତ ଘନିଷ୍ଠ ଥିଲେ। ନୀଳାଦ୍ରି ନାଏକଙ୍କର ମୃତ୍ୟୁ ପରେ ୨୦୧୪ ମସିହା ବିଧାନସଭା ନିର୍ବାଚନରେ ତେଲକୋଇ ବିଧାନସଭା ଆସନରୁ ବେଦବ୍ୟାସ ବିଧାୟକ ଭାବେ ବିଜୟୀ ହୋଇଥିଲେ। ମାତ୍ର ସେ ଚାଷ ଛାଡ଼ି ପାରିନାହାନ୍ତି। ବିଧାୟକ ଥିବାବେଳେ ବି ସେ ଚାଷ କଥା ବୁଝାବୁଝି କରୁଥିଲେ। ସେତେବେଳେ ସମୟ ଅଭାବ ଦୃଷ୍ଟିରୁ ନିଜେ ଚାଷ କରୁ ନଥିଲେ ବି ତଳିପକାଠୁ ଆରମ୍ଭ କରି ଅମଳ ଯାଏ ସବୁ ଦେଖାଚାହାଁ କରୁଥିଲେ। କରୋନା କାଳରେ ତାଙ୍କ ଜୀବନଶୈଳୀ ବଦଳି ଯାଇଛି। ସେ ସମୟ ସହିତ ତାଳ ଦେଇ ଚାଲିବା ଆରମ୍ଭ କରିଛନ୍ତି।
/sambad/media/post_attachments/wp-content/uploads/2020/08/bedabyasa.jpg)
କରୋନା କଟକଣାରେ ଘରୁ ବାହାରିବା ଉପରେ ଅଙ୍କୁଶ ଜାରି ହୋଇଥିବାବେଳେ ପୂର୍ବତନ ବିଧାୟକ ଶ୍ରୀ ନାଏକ ଏହାକୁ ସକାରାତ୍ମକ ଢଙ୍ଗରେ ନେଇଛନ୍ତି। ନିଜର ୧୦ ଏକର ଜମିରେ ଚାଷବାସ କରି ସମୟ ଅତିବାହିତ କରୁଛନ୍ତି। ଜୁନ୍ ମାସରୁ ନିଜର ବିଭିନ୍ନ ସ୍ଥାନରେ ଥିବା ଜମିଗୁଡ଼ିକରେ ହଳ କରିବା ସହିତ ତଳି ପକାଇବା କାମରେ ସହଯୋଗ କରୁଥିଲେ। ଏବେ ଅନ୍ୟ ସମସ୍ତ ଜମିରେ ବେଉଷଣ ସରିବା ପରେ ଏବେ ବୁଟୁମୁଣ୍ଡା ଚକରେ ଚାଷ କାମରେ ବ୍ୟସ୍ତ ରହିଛନ୍ତି। ଦୈନିକ ପ୍ରାୟ ୧୦ରୁ ୧୫ ଜଣ ଶ୍ରମିକଙ୍କ ସହିତ ସେ ସକାଳୁ ଜମିକୁ ଯାଇ ଚାଷ କାମ ଜାରି ରଖିଛନ୍ତି। ଏହି ଜମିରେ ସେ କଳାବାଲି ତଳି ବେଉଷଣ କରିଛନ୍ତି। ବିଶେଷକରି, ଏହା ଜଙ୍ଗଲୀ ଜମି ହୋଇଥିବାରୁ ରାସାୟନିକ ସାରର ଆବଶ୍ୟକତା ହୋଇ ନ ଥାଏ। ଜଙ୍ଗଲରୁ ଝଡ଼ି ପଡ଼ୁଥିବା ପତ୍ର ପଚି ଏଠାରେ ସାରର ଆବଶ୍ୟକତା ପୂରଣ କରିଥାଏ। ଯଦି ଆବଶ୍ୟକ ହୁଏ ତେବେ ଘରୋଇ ଭାବେ ପ୍ରସ୍ତୁତ କିଛି ଖତ ଦିଆଯାଏ।
ବେଦବ୍ୟାସଙ୍କ କହିବା କଥା ହେଉଛି, କରୋନା ସମୟରେ ଘରୁ ସହର କିମ୍ବା ବଜାର ଯାଉନାହୁଁ। ଏ ସମୟରେ ବି କୌଣସି ରାଜନୈତିକ ସଭା, ସମାବେଶ ନାହିଁ। ତେଣୁ ସମୟକୁ ଅଯଥା ନଷ୍ଟ କରିବା ଅପେକ୍ଷା ଚାଷ କାମରେ ଲଗାଇ ଦେଇଛି। ଏହି ଅନୁସାରେ ପ୍ରଥମେ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସ କରୋନା କଟକଣାବେଳେ ଖାଲି ପଡ଼ିଥିବା ଉଚ୍ଚା ଏବଂ ନିଗିଡ଼ା ଜମିରେ ଆମ୍ବ ଗଛ ଲଗାଇଥିଲି। ଜୁନ୍ରୁ ଧାନ ଚାଷ ଚାଲିଛି। ଆଉ ୧୫ ଦିନ ମଧ୍ୟରେ ଚାଷ କାମ ଶେଷ ହୋଇଯିବ। ସେ କହିଛନ୍ତି, ଚାଷ ପାଇଁ ଘରେ ବଳଦ ଗୋଟିଏ ହଳ ରହିଛି। ସେହିପରି କ୍ଷୀର ଏବଂ ଗୋବର ଖତ ପାଇଁ ୪ଟି ଗାଈ ମଧ୍ୟ ଅଛି। ଏହି ବଳଦ ଦ୍ବାରା ହଳ କାମ ହେଉଥିବାବେଳେ ଆବଶ୍ୟକ ବେଳେ ଟ୍ରାକ୍ଟର କିମ୍ବା ପାୱାର ଟିଲର ବ୍ୟବହାର କରାଯାଉଛି।
ଆଜିକାଲି ଥରେ ବିଧାୟକ ହେଲେ ରାଜନେତା ରାଜଧାନୀର ଛାତି ଛାଡୁ ନ ଥିବାବେଳେ ବେଦବ୍ୟାସ ନିଜ ଗାଁରେ ରହି ଚାଷ କରିବା ଏବଂ ନିଜେ ରୁଆ ବେଉଷଣରେ ସାମିଲ ହେବା ରାଜନୀତିର ଏକ ସକାରାତ୍ମକ ଦିଗକୁ ଦର୍ଶାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/mla.jpg)