ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ପରଲୋକ

ନବରଙ୍ଗପୁର/କୋଷାଗୁମୁଡା : ପୂର୍ବତନ କୋଡିଙ୍ଗା ବିଧାୟିକା ତଥା ବରିଷ୍ଠ ଆଦିବାସୀ ନେତ୍ରୀ ଭଗବତୀ ପୂଜାରୀଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। କୋଡିଙ୍ଗା ନିକଟସ୍ଥ ଦୁଗୁଲାହାଣ୍ଡି ସ୍ଥିତ ବାସଭବନରେ ସୋମବାର ସକାଳେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୧ବର୍ଷ ହୋଇଥିଲା।

୧୯୮୫ ମସିହା ବିଧାନସଭା ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଭଗବତୀ। କଂଗ୍ରେସ ବିଧାୟିକା ଭାବେ ୧୯୯୦ ମସିହା ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ। ଜଙ୍ଗଲ, ଜନଜାତି କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସଦସ୍ୟା ଭାବେ ତାଙ୍କୁ ତତ୍କାଳୀନ ଉପବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟ ମନୋନୀତ କରିଥିଲେ। ଶାଳ ମଞ୍ଜିକୁ ସରକାର କିଣିବା ନିୟମକୁ ବିଧାନସଭାରେ ପାରିତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ, ସ୍ୱାସ୍ଥ୍ୟଗତ କାରଣରୁ ବହୁ ବର୍ଷ ହେଲା ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଥିଲେ।

ତାଙ୍କର ପରଲୋକ ହୋଇଯାଇଥିବା ବେଳେ ଶେଷଶଯ୍ୟା ନିକଟରେ ନାତୁଣୀ ନିକିତା ପୂଜାରୀ, ପୁଅ ସୁବାସ ପୂଜାରୀ ଓ ପୀତାମ୍ବର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଙ୍କ ମୃତ୍ୟୁରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ, କୋରାପୁଟ ଏସ୍‌ଡିସି ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକାକୁଳ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର