ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ

ମାହାଙ୍ଗାର ୩ ବଡ଼ ନେତାଙ୍କୁ ଛଡ଼ାଇନେଲା କରୋନା
ଗତବର୍ଷ ଶେଖ୍‌ ମତଲୁବ୍ ଅଲ୍ଲୀ ଓ ଶରତ କରଙ୍କ ମୃତ୍ୟୁ ହୋଇଥିଲା

ମାହାଙ୍ଗା : ବିଶିଷ୍ଟ ଗାନ୍ଧୀବାଦୀ, ମାହାଙ୍ଗାର ପୂର୍ବତନ ବିଧାୟକ, ବିହନ ନିଗମ ଓ କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ, କବି, ସାହିତ୍ୟିକ, ଆଧ୍ୟାତ୍ମିକବାଦୀ, ଶିକ୍ଷାବିତ୍ ତଥା ଶିକ୍ଷକ ନେତା ବିକ୍ରମ କେଶରୀ ବର୍ମା (୮୦)ଙ୍କ ଆଜି ପରଲୋକ ଘଟିଛି। କରୋନାରେ ସଂକ୍ରମିତ ହୋଇ ସେ ଭୁବନେଶ୍ବରସ୍ଥିତ ସମ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତବର୍ଷ ମାହାଙ୍ଗାର ଦୁଇ ଦିଗ୍‌ଗଜ ନେତା ପୂର୍ବତନ ମନ୍ତ୍ରୀ ଶେଖ୍‌ ମତଲୁବ୍ ଅଲ୍ଲୀ ଓ ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କ ମଧ୍ୟ କରୋନା ମହାମାରୀରେ ମୃତ୍ୟୁ ଘଟିଥିଲା। ଆଜି ବିକ୍ରମକେଶରୀଙ୍କ ପରଲୋକ ମାହାଙ୍ଗାବାସୀଙ୍କ ପାଇଁ ଶକ୍ତ ଧକ୍କା ‌ଆଣି ଦେଇଛି। ଭୁବନେଶ୍ବରସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ପୁଅ ଉତ୍କଳ କେଶରୀ ବର୍ମା ମୁଖାଗ୍ନି ଦେଇଥିଲେ।

ସ୍ବର୍ଗତ ବର୍ମାଙ୍କ ଶାନ୍ତ, ସରଳ, ଭଦ୍ର ଓ ଅମାୟିକ ଗୁଣ ମାହାଙ୍ଗାବାସୀଙ୍କୁ ସବୁବେଳେ ଆକୃଷ୍ଟ କରି ଆସିଥିଲା। ଶିକ୍ଷା ଶେଷ କରିବା ପରେ ସେ ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷାର ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। କୁଆଁପାଳରେ ଲୋକଙ୍କ ଠାରୁ ହାତମୁଠି ଚାଉଳ ଭିକ୍ଷା କରି ଜବାହରଲାଲ ନେହେରୁଙ୍କ ନାମରେ ଏକ ମହାବିଦ୍ୟାଳୟ ପ୍ରତିଷ୍ଠା କରି ଏହାର ଅଧ୍ୟକ୍ଷ ଦାୟିତ୍ବ ତୁଲାଇ ଥିଲେ। ମାହାଙ୍ଗାରେ ସିଟି, ବିଏଡ୍‌ ଓ ଘରୋଇ ଶିଳ୍ପ ତାଲିମ କେନ୍ଦ୍ର ମଧ୍ୟ ସେ ପ୍ରତିଷ୍ଠା କରିଥିଲେ। ସେ ୟୁଟିଆ ସଂଘର ରାଜ୍ୟ ସଭାପତି ପଦରେ କାର୍ଯ୍ୟ କରୁଥିବା ବେଳେ ସଂଘ ପକ୍ଷରୁ ଆୟୋଜିତ ଏକ ବିଶାଳ ସଭାକୁ ବିଜୁବାବୁଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ସଭାରେ ବିଜୁବାବୁ ୩୦୧୨ ଘରୋଇ ହାଇସ୍କୁଲକୁ ସରକାରୀ ହାଇସ୍କୁଲରେ ପରିଣତ କରିଥିଲେ। ଏହାପରେ ଲୋକଙ୍କ ସେବା ପାଇଁ ୯୦ ଦଶକରେ ସ୍ବର୍ଗତ ବର୍ମା ରାଜନୀତିରେ ପ୍ରବେଶ କରି ଜାଗ୍ରତ ଓଡ଼ିଶା, କଂଗ୍ରେସ (ଏସ୍) ଓ ରବି ରାୟଙ୍କ ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ। ଶିକ୍ଷକ ଓ କୃଷକ ନେତା ଭାବେ ନିଷ୍ଠାପର କାର୍ଯ୍ୟ କରି ସେ ବିଜୁବାବୁଙ୍କ ପ୍ରିୟଭାଜନ ହୋଇପାରିଥିଲେ। ୧୯୯୦ ମସିହାରେ ସେ ରାଜ୍ୟ କୃଷକ ଜନତା ଦଳ ସଭାପତି ଓ ବିହନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ। ୨୦୦୪ରେ ସେ ମାହାଙ୍ଗାରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ।

ନିର୍ବାଚନରେ ବିଜୟୀ ହେବା ପରେ ବଳକା ରହିଥିବା ନିର୍ବାଚନ ପାଣ୍ଠିର ୨ ଲକ୍ଷ ଟଙ୍କା ସେ ଦଳର ସଭାପତିଙ୍କୁ ଫେରାଇ ଚର୍ଚ୍ଚାକୁ ଆସିଥିଲେ। ମାତ୍ର ଦଳର ସଭାପତି ନବୀନ ପଟ୍ଟନାୟକ ଏହାକୁ ଗ୍ରହଣ କରି ନ ଥିଲେ। ବିଧାୟକ ହେବା ପରେ ବିକ୍ରମକେଶରୀ ମାହାଙ୍ଗାରୁ ଦୁର୍ନୀତି ଓ ପିସି କାରବାରକୁ ହଟାଇବା ପାଇଁ ଉଦ୍ୟମ କରିଥିଲେ। ମାହାଙ୍ଗା ବିଡିଓଙ୍କ ସହ ସମସ୍ତ କର୍ମଚାରୀଙ୍କୁ ଡକାଇ ଗାନ୍ଧୀମୂର୍ତ୍ତି ନିକଟରେ ଗୀତା ଛୁଆଁଇ କୌଣସି ଅଧିକାରୀ ପିସି ଗ୍ରହଣ କରିବେ ନାହିଁ ବୋଲି ଶପଥ ପାଠ କରାଇଥିଲେ। ସେତେବେଳେ ଏହା ମାହାଙ୍ଗାରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା। ସେହିପରି ରାଜ୍ୟ ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଉଭୟ ବିରୋଧୀ ଓ ଶାସକ ଦଳ ଦାବି କରୁଥିଲା ବେଳେ ଏକମାତ୍ର ବିଧାୟକ ଭାବେ ବିକ୍ରମ ବାବୁ ଏହାର  ବିରୋଧ କରିଥିଲେ। ଫଳରେ ଉକ୍ତ ଦରମା ବିଲ୍‌ ବିଧାନସଭାରେ ଗୃହିତ ହୋଇପାରି ନ ଥିଲା। ଏହାକୁ ନେଇ ବହୁ ବିଧାୟକ ବିଧାନସଭାରେ ତାଙ୍କୁ ବିରୋଧ କରିଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଧାୟକ ଭାବେ କାର୍ଯ୍ୟକାଳ ସମୟରେ ଯଶରାଜପୁର ବିରୂପା ସେତୁର ଶିଳାନ୍ୟାସ ସହ ଅନେକ ସେତୁ, ରାସ୍ତାଘାଟ ଓ ଉନ୍ନୟନ କାର୍ଯ୍ୟ ତାଙ୍କ ଉଦ୍ୟମରେ ସମ୍ଭବ ହୋଇଥିଲା।

ବିଧାୟକ କାର୍ଯ୍ୟକାଳ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କାଜୁ ନିଗମ ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲେ। ରାଜନୀତି ସହ କବିତା, ଗଳ୍ପ, ଗୀତ ଓ ଉପନ୍ୟାସ ଆଦି ୧୨ ଶହ ପୃଷ୍ଠାର ୨୨ ଖଣ୍ଡ ଗ୍ରନ୍ଥାବଳୀ ରଚନା କରିଥିଲେ ସ୍ବର୍ଗତ ବର୍ମା। ସେ ଅତି ସାଧାରଣ ଜୀବନ ଅତିବାହିତ କରୁଥିଲେ। ସ୍ବର୍ଗତ ବର୍ମାଙ୍କ ଅର୍ଥଲୋଭ ନ ରଖି ଜନସେବା କରିବା ଏକମାତ୍ର ଲକ୍ଷ୍ୟ ରହିଥିଲା। ବଡ଼ବଡ଼ ପଦପଦବିରେ ଥିଲେ ମଧ୍ୟ ସେ ନିଜ ପରିବାରର ଭବିଷ୍ୟତ ଚିନ୍ତା କରି ନଥିଲେ। ଏକମାତ୍ର ପୁଅର ଶିକ୍ଷା ଶେଷ ହେବା ପରେ ବି ସେ ତା ପାଇଁ କୌଣସି ରୋଜଗାରର ପନ୍ଥା କିମ୍ବା ଥଇଥାନ ଦିଗରେ ଚିନ୍ତା ମଧ୍ୟ କରି ନ ଥିଲେ। ତାଙ୍କର ନିଜ ଗ୍ରାମ କିମ୍ବା ସହରରେ ଭଲ ଘର ଖଣ୍ଡେ ବି ନ ଥିବା ଜଣାପଡ଼ିଛି।

ବିକ୍ରମକେଶରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କୁ ଜଣେ ସମର୍ପିତ ଜନସେବକ, ଶିକ୍ଷାବିତ ତଥା ଅମାୟିକ ବ୍ୟକ୍ତିତ୍ବ ଭାବେ ବର୍ଣ୍ଣନା କରିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ବିକ୍ରମକେଶରୀଙ୍କ ବିୟୋଗରେ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ସୁବାସ ସିଂହ, ବିଧାୟକ ଦେବୀପ୍ରସାଦ ମିଶ୍ର, ଡାକ୍ତର ପ୍ରମୋଦ ମଲ୍ଲିକ, ଚନ୍ଦ୍ରସାରଥି ବେହେରା, ଦେବୀରଂଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ପ୍ରଶାନ୍ତ ବେହେରା, କଟକ ଜିଲ୍ଲା ବ‌ିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରଭାତ ରଂଜନ ବିଶ୍ବାଳ, କେନ୍ଦ୍ର ସାହିତ୍ୟ ‌ଏକାଡେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ଓ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର