ଝାରସୁଗୁଡ଼ା : ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ ପାଣ୍ଡେ (୭୫ ବର୍ଷ)ଙ୍କ ରବିବାର ସକାଳେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି।
ଯକୃତ ଜନିତ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଗତ ଗୁରୁବାର ଦିନ ବୁର୍ଲା ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଜଟିଳ ହେବାରୁ ଶୁକ୍ରବାର ଅପରାହ୍ନରେ ତାଙ୍କୁ ଭୁବନେଶ୍ବର ନିଆଯାଇ ସେଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ଶେଷରେ, ତାଙ୍କର ପ୍ରାଣହାନି ଘଟିଛି। ଶେଷଶଯ୍ୟା ନିକଟରେ ପତ୍ନୀ ଶକୁନ୍ତଳା ଦେବୀ, ୨ ପୁଅ ତରୁଣ, ତନ୍ମୟ ଓ ଝିଅ ସରିତା ଉପସ୍ଥିତ ଥିଲେ। ତାଙ୍କ ପାର୍ଥିବ ଶରୀର ଝାରସୁଗୁଡ଼ା ଅଣାଯିବା ପରେ ସୋମବାର ସକାଳେ ଝାଡ଼େଶ୍ବର ମନ୍ଦିର ନିକଟ ସ୍ବର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି କୁହାଯାଇଛି।
ସ୍ବର୍ଗତ ପାଣ୍ଡେ ଝାରସୁଗୁଡ଼ା ବିଧାନସଭା ଆସନରୁ ସେ ୧୯୮୦, ୧୯୮୫ ଓ ୧୯୯୫ ନିର୍ବାଚନରେ କଂଗ୍ରେସ ଦଳରୁ ୩ ଥର ବିଧାୟକ ହୋଇଥିଲେ। ୧୯୮୪ ରୁ ୧୯୯୦ ପର୍ଯ୍ୟନ୍ତ ସେ ଝାରସୁଗୁଡ଼ା ପୌରସଂସ୍ଥାର ନଗରପାଳ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ। କଂଗ୍ରେସ ଦଳର ବିଭିନ୍ନ ସାଙ୍ଗଠନିକ ପଦ ପଦବିରେ ରହି କାର୍ଯ୍ୟ କରିଥିଲେ। ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ କଂଗ୍ରେସ ଦଳରେ ସେ ଅନେକ କାର୍ଯ୍ୟ କରିଥିବା ବେଳେ ଜୀବନର ଶେଷ ପର୍ଯ୍ୟନ୍ତ ସେ କଂଗ୍ରେସରେ ହିଁ ରହିଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/birendra-pandy-jj.jpg)