ବରଗଡ଼/ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପ୍ରଚାର ସମୟରେ ବିଜେଡି ଓ ବିଜେପି କୌଣସି ନା କୌଣସି ପ୍ରସଙ୍ଗ ନେଇ ବାରମ୍ବାର ମୁହାଁମୁହିଁ ହୋଇଥିଲେ। ପ୍ରଚାର ଅଭିଯାନ ଆରମ୍ଭରୁ ଶେଷଯାଏ ଏହି ଆରୋପ ପ୍ରତ୍ୟାରୋପର ଖେଳ ଜାରି ରହିଥିଲା। ବିଧିବଦ୍ଧ ପ୍ରଚାର ୩ ତାରିଖ ସଂଧ୍ୟାରେ ଶେଷ ହୋଇଥିଲା। ଏହାପରେ ବାହାର ନେତା ଓ କର୍ମୀଙ୍କୁ ନିର୍ବାଚନମଣ୍ଡଳୀ ଛାଡ଼ିବା ପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଅନ୍ଧାରୀବିଜେ ପ୍ରକ୍ରିୟାରେ ରାଜନୈତିକ ଦଳଗୁଡ଼ିକ ପରସ୍ପର ମୁହାଁମୁହିଁ ହୋଇଥିଲେ। ଏଭଳି ଏକ ଘଟଣାକ୍ରମରେ ଜୁନାଗଡ଼ର ପୂର୍ବତନ ବିଧାୟକ ହିମାଂଶୁ ଶେଖର ମେହେର ଥାନାରେ କିଛି ସମୟ ଅଟକ ରହିବା ରାଜନୈତିକ ଛକାପଞ୍ଝା ଅଧ୍ୟାୟରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି।
ଶ୍ରୀ ମେହେର ଲଖମରାଠାରେ ଥିବା ଖବର ପାଇ କେତେକ ଯୁବକ ସେଠାରେ ପହଂଚି ଥିଲେ। ପ୍ରସାଶନର ଆଦେଶକୁ ବେଖାତିର କରୁଥିବା ଦର୍ଶାଇ ଉକ୍ତ ଯୁବକମାନେ ତାଙ୍କ ସହ ବଚସା କରିଥିଲେ। ଠିକ୍ ସମୟରେ ଜଗଦଲପୁର ଥାନା ଅଧିକାରୀ ସୁଷମା କୁଅଁର ସଦଳବଳ ପହଂଚି ହିମାଂଶୁଙ୍କୁ ଥାନାକୁ ନେଇଥିଲେ। ସେଠାରେ ସମସ୍ତ କାଗଜପତ୍ର ଯାଂଚ ପରେ ଏକ ଚୁକ୍ତିପତ୍ର ସ୍ବାକ୍ଷର କରି ଛାଡ଼ିଦିଆଯାଇଛି। ସେହିପରି ସରେଇକେଲାଠାରେ ନିଷିଦ୍ଧାଦେଶ ଥିବା ସତ୍ତ୍ବେ କେତେକ ରାଜନେତାଙ୍କ ଆବିର୍ଭାବ ପରିବେଶକୁ ଉଷ୍ଣ କରି ଦେଇଥିଲା। ସେମାନଙ୍କୁ ମଧ୍ୟ ଥାନାରେ ଚୁକ୍ତିପତ୍ର ଲେଖି ନିର୍ବାଚନମଣ୍ଡଳୀରେ ନ ରହିବାକୁ ସତର୍କ କରି ଦିଆଯାଇଥିଲା।
ସରେଇକେଲାରେ ବିଜେଡି ଟଙ୍କା ବାଣ୍ଟିବା ବିଜେପି କର୍ମୀ ଅଭିଯୋଗ କରିଥିବା ବେଳେ ବିଜେଡି ମଧ୍ୟ ପାଲଟା ଅଭିଯୋଗ କରିଛି। ଲଖମରାକୁ ପୁର୍ବତନ ବିଧାୟକ ଶ୍ରୀ ମେହେର ଟଙ୍କା ବାଣ୍ଟିବା ପାଇଁ ଆସିଥିବା ବିଜେଡି ଅଭିଯୋଗ କରିଛି। ଏନେଇ ଉଭୟ ଦଳ ମଧ୍ୟରେ ଟଣାଓଟରା ପରିସ୍ଥିତି ଲାଗି ରହିଛି। ଘଟଣା ସଂପର୍କରେ ବରଗଡ଼ ଏସ୍ପି ପରମାର ସ୍ମିତ ପୁରୁଷୋତ୍ତମ ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ କିଛି ପ୍ରତିକ୍ରିୟା ରଖିନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/jagadalpur-ps.jpg)