ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଧନୁର୍ଜୟ ସିଦୁ, ତେନ୍ତଳାପଶିରେ ଶକ୍ତି ପ୍ରଦର୍ଶନ

ହରିଚନ୍ଦନପୁର : ବିଜେପି ଛାଡ଼ିଲେ ପୂର୍ବତନ ଚମ୍ପୁଆ ବିଧାୟକ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଧନୁର୍ଜୟ ସିଦୁ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପଶି ଗ୍ରାମରେ ଶୁକ୍ରବାର ଦିନ ଏକ ବିରାଟ ଜନସଭା କରି ଶ୍ରୀ ସିଦୁ ନିଜ ଶକ୍ତି ପ୍ରଦର୍ଶନ କରିବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି।

ବିଜେପି ଦଳରେ ଚାଲିଥିବା ନୂଆପୁରୁଣା ବାଛ ବିଚାର ଏବଂ ଗୋଷ୍ଠୀ କନ୍ଦଳରେ ଅତିଷ୍ଠ ହୋଇ ସେ ଦଳ ଛାଡ଼ିଥିବା କହିଛନ୍ତି। ନିଜ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଜେପି ଛାଡ଼ିଲେ ମଧ୍ୟ ସେ ପୂର୍ବପରି ତେଲକୋଇ ନିର୍ବାଚନମଣ୍ଡଳୀର ହରିଚନ୍ଦନପୁର, ତେଲକୋଇ ଓ ବାଂଶପାଳ ବ୍ଲକ୍‌ବାସୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ଏହି ଜନସଭାରେ ତେଲକୋଇ ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍‌ରୁ ୫ ହଜାରରୁ ଊର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ। ଏହି ଅବସରରେ ଶ୍ରୀ ସିଦୁଙ୍କ ସହ ତେଲକୋଇ ନିର୍ବାଚନମଣ୍ଡଳୀର ଦୁଇଜଣ ପୂର୍ବତନ ବିସ୍ତାରକ ଗଣେଶ ମହାକୁଡ଼ ଓ ଇଂ ହିମାଦ୍ରୀ ଦାସ ମଧ୍ୟ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ସିଦୁ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ, ବିଜେପି ଛାଡ଼ିଲି। ସମର୍ଥଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୪ ବିଧାନସଭା ନିର୍ବାଚନରେ ଶ୍ରୀ ସିଦୁ ଚମ୍ପୁଆରୁ କଂଗ୍ରେସ ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ। ୨୦୧୭ ମସିହାରେ ସେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ତେଲକୋଇ ନିର୍ବାଚନମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ହୋଇ ୬୮ ହଜାର ୬୨୮ ଖଣ୍ଡ ଭୋଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର