ପରଲୋକରେ ପୂର୍ବତନ ବିଧାୟକ ଗୋପନାରାୟଣ

ବାଲେଶ୍ବର : ବାଲେଶ୍ବରର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଗୋପନାରାୟଣ ଦାସଙ୍କର ଗୁରୁବାର ଭୋର ୫ଟା ସମୟରେ ପରଲୋକ ହୋଇଯାଇଛି। ତାଙ୍କୁ ୭୫ ବର୍ଷ ହୋଇଥିଲା। ବୁଧବାର ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ନିଆଯାଉଥିବା ବେଳେ ଭଦ୍ରକ ଭଣ୍ତାରୀପୋଖରୀ ନିକଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ଶ୍ରୀ ଦାସଙ୍କ ଦେହାନ୍ତ ଖବର ପ୍ରଚାରିତ ହେବାପରେ ବାଲେଶ୍ବର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ଦଳୀୟ କର୍ମୀ ତାଙ୍କ ଗୋପାଳଗାଁସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଛନ୍ତି। ଆସନ୍ତାକାଲି ଅପରାହ୍ନରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା କରାଯିବ।

୧୯୪୮ ମସିହା ମାର୍ଚ୍ଚ ପହିଲାରେ ଏକ ରାଜନୈତିକ ପରିବାରରେ ଶ୍ରୀ ଦାସ ଜନ୍ମଗ୍ରହଣ କରିଥିଲେ। ବାପା ସତ୍ୟନାରାୟଣ ଦାସ ଥିଲେ ସ୍ବାଧୀନତା ସଂଗ୍ରାମୀ ଓ ଅବିଭକ୍ତ ବାଲେଶ୍ବର ଜିଲ୍ଲା ଲୋକାଲ୍‌ ବଡିର ଚେୟାରମ୍ୟାନ। ଫକୀରମୋହନ ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରୁ ସେ ଛାତ୍ର ରାଜନୀତି ସହ ସଂଶ୍ଳିଷ୍ଟ ହୋଇ ପରବର୍ତ୍ତୀ ସମୟରେ କଟକରେ ଆଇନ ମହାବିଦ୍ୟାଳୟରୁ ଡିଗ୍ରି ହାସଲ କରିଥିଲେ। ୧୯୮୪ରୁ ୧୯୮୬ ମସିହା ପର୍ଯ୍ୟନ୍ତ ସେ ବାଲେଶ୍ବର ସଦର ବ୍ଲକ୍‌ ଅଧ୍ୟକ୍ଷ, ପୌରପାଳିକାର କାଉନ୍‌ସିଲର, ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସରୁ ସଦର ନିର୍ବାଚନମଣ୍ତଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ନ୍ୟାସନାଲ ହେରାଲଡ୍‌ ଇଂରାଜୀ ଦୈନିକ ସମ୍ବାଦପତ୍ରରେ ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାସହିତ ଏଡିଟର୍ସ କାଉନ୍‌ସିଲ ଅଫ୍‌ ଇଣ୍ତିଆର ଉପସଭାପତି, ବାଲେଶ୍ବର ଆଇଏନ୍‌ଟିୟୁସି ସମନ୍ବୟ ସମିତିର ସଭାପତି, ୧୯୭୭ରୁ ୧୯୮୩ ମସିହା ପର୍ଯ୍ୟନ୍ତ ପ୍ରଦେଶ ଯୁବ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ, ୧୯୮୧ରୁ ୧୯୮୨ ମସିହା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ କମିଟି ସଦସ୍ୟ, ପିସିସି ସାଧାରଣ ସମ୍ପାଦକ, ୧୯୯୮ରୁ ୧୯୯୯ ପର୍ଯ୍ୟନ୍ତ ପିସିସି ମୁଖପାତ୍ର ଏବଂ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଚେୟାରମ୍ୟାନ୍ ଭାବେ ୧୯୯୮ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ। ନିର୍ବାଚନ ସମୟରେ କଂଗ୍ରେସ ତାଙ୍କୁ ବିଭିନ୍ନ ରାଜ୍ୟର ପର୍ଯ୍ୟବେକ୍ଷକ ଦାୟିତ୍ବ ‌ମଧ୍ୟ ଦେଇଥିଲା।

ତାଙ୍କର ବିଧାୟକତ୍ବ ସମୟରେ ବୁଢ଼ାବଳଙ୍ଗ ନଦୀର ବାଲିଘାଟଠାରେ ସେତୁ ନିର୍ମାଣ ସହିତ ବାଲେଶ୍ବରରେ ବିର୍ଲା ଟାୟାର୍ସ, ଇମାମୀ ପେପର୍ ମିଲ୍ସ, ଇସ୍ପାତ୍ ଆଲଏଜ୍ ଭଳି ଅନେକ ଶିଳ୍ପ କାରଖାନା ଗଢ଼ି ଉଠିଥିଲା। ତାଙ୍କ ଅବର୍ତ୍ତମାନରେ କଂଗ୍ରେସରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ, କଂଗ୍ରେସର ବାଲେଶ୍ବର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବାଲେଶ୍ବର ପୌରାଧ୍ୟକ୍ଷା ସବିତା ସାହୁ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ତା, ଜିଲ୍ଲା ପରିଷଦର ପୂର୍ବତନ ସଭାପତି ଗିରୀଶ ଚନ୍ଦ୍ର ଦାଶ, ପିସିସି ମୁଖପାତ୍ର ସୁଦର୍ଶନ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ବୀଣାପାଣି ଦାସ, ବଡ଼ପୁଅ ବିଭୁପଦ ଦାସ, ସାନପୁଅ ଦେବଦତ୍ତ ଦାସ, ବଡ଼ବୋହୂ ପୂରବୀ ଦାସ, ସାନବୋହୂ ପ୍ରିୟମ୍ବଦା ଦାସ, ବଡ଼ଭାଇ ଡା.ଲକ୍ଷ୍ମୀନାରାୟଣ ଦାସ, ଭାଉଜ ରେଣୁବାଳା ଦାସ ଓ ପରିବାରବର୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର