ନିଶ୍ଚିନ୍ତକୋଇଲି: ପୂର୍ବତନ ବିଧାୟକ, କଂଗ୍ରେସର ବରିଷ୍ଠ ନେତା ଗୁରୁପଦ ନନ୍ଦ (୭୫)ଙ୍କର ଆଜି ପରଲୋକ ଘଟିଛି। ଗୁରୁପଦଙ୍କ ବିୟୋଗରେ କଂଗ୍ରେସ ନେତା ଓ କର୍ମୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଦଳ ଭିତରେ ‘ଭାଇନା’ ନାମରେ ଲୋକପ୍ରିୟ ଗୁରୁପଦ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମାରଡା ଗ୍ରାମରେ ୧୯୪୬, ଏପ୍ରିଲ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ପ୍ରଜା ସୋସିଆଲିଷ୍ଟ ପାର୍ଟି (ପିଏସପି)ରେ ଯୋଗ ଦେଇ ରାଜନୈତିକ ଜୀବନ ଆରମ୍ଭ କରିଥିବାବେଳେ ପରେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ରାଜ୍ୟ ଯୁବ କଂଗ୍ରେସର ସଭାପତି ରହିଥିଲେ। ୧୯୮୦ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ରାଉରକେଲା ଆସନରୁ ବିଜୟୀ ହେବା ସହିତ ଗୁରୁପଦ ବିଧାନସଭାରେ ଶାସକ କଂଗ୍ରେସ ଦଳର ମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ୧୯୯୦ , ୨୦୦୪ ନିର୍ବାଚନରେ କଟକ ଜିଲ୍ଲାର ପୁରୁଣା କିଶନନଗର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ବି ଆଉ ବିଜୟୀ ହୋଇ ପାରି ନଥିଲେ। ସେ ରାଜ୍ୟ କଂଗ୍ରେସର ଉପସଭାପତି, କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭଳି ଦଳର ବିଭିନ୍ନ ସାଂଗଠନିକ ପଦପଦବିରେ ସଫଳତାର ସହିତ କାର୍ଯ୍ୟ କରିଥିଲେ। ସେ ରାଜ୍ୟ ସମବାୟ ବ୍ୟାଙ୍କର ମଧ୍ୟ ସଭାପତି ଥିଲେ। ଅକ୍ଟୋବର ୩ ତାରିଖରୁ ସେ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ଘରକୁ ଫେରିଥିଲେ ବି ପୁଣି ଅସୁସ୍ଥ ହୋଇ କଟକର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ୯ଟାରେ ସେଠାରେ ତାଙ୍କର ପରଲୋକ ଘଟିଥିଲା।
ତାଙ୍କ ମରଶରୀରକୁ ଗାଁକୁ ନିଆଯିବା ସହିତ ସେଠାରେ ଶେଷକୃତ୍ୟ କରାଯାଇଛି। ବଡ଼ପୁଅ ରୌମ୍ୟକାନ୍ତ ନନ୍ଦ ମୁଖାଗ୍ନି ଦେଇଛନ୍ତି। ତାଙ୍କର ଶେଷ ଶଯ୍ୟା ନିକଟରେ ପତ୍ନୀ ସଂଧ୍ୟା ଆରତୀ ନନ୍ଦ, ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କର ସାନ ପୁଅ ଓ ଝିଅ ପରିବାର ସହିତ ବିଦେଶରେ ରହୁଛନ୍ତି। ଗୁରୁପଦ ନନ୍ଦଙ୍କ ବିୟୋଗରେ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ରବୀନ୍ଦ୍ର ମଲ୍ଲିକ, ଉମାବଲ୍ଲଭ ରଥ, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ଆଇନଜୀବୀ ଇଂଜିନିୟର ଆକାଶ ଭୂୟାଁ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।