ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ହୃଷୀକେଶ ନାଏକ ଆଜି କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାଟଣା ବ୍ଲକ୍‌ ରାଜନଗରଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ଦଳରେ ଯୋଗଦାନ କରିଛନ୍ତି। ଦଳ ପକ୍ଷରୁ ଅଣଦେଖା ପ୍ରତିବାଦରେ ଜୁନ୍‌ ମାସରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

Advertisment

ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁଖ୍ୟଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ହୃଷୀକେଶଙ୍କୁ ଦଳକୁ ସ୍ୱାଗତ କରିଥିଲେ। କେନ୍ଦୁଝର ଜିଲ୍ଲା କଂଗ୍ରେସ ପାଇଁ ଏହା ଶୁଭ ସଂକେତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଲୋକଙ୍କ ସେବା କରି ପାଞ୍ଚଥର ବିଧାୟକ ହେବା ପରେ ଏବେ ବି ସେ ରାଜନୀତିରେ ସକ୍ରିୟ ଅଛନ୍ତି। ତାଙ୍କୁ ପାଇବା ପରେ ପାଟଣା କଂଗ୍ରେସରେ ଏକ  ସମ୍ଭାବନା ସୃଷ୍ଟି ହୋଇଛି ବୋଲି ସେ କହିଥିଲେ। ସେହିପରି ଶ୍ରୀ ପଟ୍ଟନାୟକ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କ ବିରୋଧରେ ବର୍ଷିଥିଲେ। କଂଗ୍ରେସ ସରକାର ସମୟରେ ମଦ ବିକ୍ରିରୁ ୧୩୫ କୋଟି ଟଙ୍କା ମିଳୁଥିଲା। ଏବେ ୮ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ସାଧାରଣ ଜନତାଙ୍କୁ ମଦ ନିଶାରେ ବୁଡ଼ାଇ ଥିବା ନବୀନ ସରକାରଙ୍କୁ  କେବଳ କ୍ଷମତା ଦଖଲ ନିଶା ଘାରିଛି। ଏମିତି ଏକ ବ୍ଲକ୍‌ ନାହିଁ ଯେଉଁଠି କଂଗ୍ରେସ ସରକାର ସମୟରେ ଡାକ୍ତରଖାନା ଖୋଲାଯାଇ ନାହିଁ। ହେଲେ ଏ ସରକାର ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଦେଇପାରୁ ନାହାନ୍ତି। ୨୦ ହଜାର ଟଙ୍କା ଲାଞ୍ଚ ନଦେଲେ ଗରିବଙ୍କୁ ସରକାରୀ ଆବାସ ମିଳୁନାହିଁ। କଂଗ୍ରେସ ସରକାର ସମୟରେ ପାଟଣାରେ ଡାକ୍ତରଖାନା, ଶବ ବ୍ୟବଚ୍ଛେଦ ଗୃହ, ବୈତରଣୀରେ ପୋଲ, ଅନେକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଏ ସରକାରରେ କାଣିଚାଏ ବି ବିକାଶ ଦେଖାଯାଉ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଯୋଗଦେଇ ପୂର୍ବତନ ବିଧାୟକ ହୃଷୀକେଶ ନାଏକଙ୍କ ଯୋଗଦାନ ଯୋଗୁଁ ଏଠାରେ କଂଗ୍ରେସ ଅଧିକ ଶକ୍ତିଶାଳୀ ହୋଇଛି ବୋଲି କହିଥିଲେ। ଏହି ମିଶ୍ରଣ ପର୍ବରେ ଶ୍ରୀ ନାଏକଙ୍କ ସମେତ ତାଙ୍କ ଶତାଧିକ ସମର୍ଥକ କଂଗ୍ରେସରେ ସାମିଲ ହୋଇଛନ୍ତି ବୋଲି ପାଟଣା ବ୍ଲକ୍‌ କଂଗ୍ରେସ କମିଟି ସଭାପତି ଶତ୍ରୁଘ୍ନ ସିଂହ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ନାଏକ ବିଜେଡି ଓ କଂଗ୍ରେସ ସମେତ ବିଭିନ୍ନ ଦଳରୁ ପାଞ୍ଚଥର ବିଧାୟକ ହୋଇଥିଲେ। କେନ୍ଦୁଝର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଥିଲେ। ହୃଷୀକେଶଙ୍କୁ ଗତ ନିର୍ବାଚନରେ ବିଜେଡି ଟିକଟ ଦେଇନଥିଲା। ଦଳ ତାଙ୍କୁ ଅଣଦେଖା କରୁଥିବା ପ୍ରତିବାଦରେ କିଛିଦିନ ତଳେ ସେ ବିଜେଡି ଛାଡ଼ିଥିଲେ। ଏହି ଅବସରରେ ଶ୍ରୀ ନାଏକ କହିଛନ୍ତି, କଂଗ୍ରେସ ଏକ ମହାନ ଦଳ। ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସରେ ଯୋଗଦେଇଛନ୍ତି। ଆଗାମୀ ଦିନରେ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ସେ କାମ କରିବେ ବୋଲି କହିଛନ୍ତି।
ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ମିଶ୍ର, ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସଂଗ୍ରାମ ଦାସ, ଆଲୋକ ମିଶ୍ର, ସୁଢ଼ଳ ସେଠୀ, ବିନୋଦ ବିହାରୀ ନାଏକ, ଗୌରହରି ନାଏକ,  ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ଲକ୍ଷ୍ମଣ କୁମାର ଦାଶ, ଶିବ ଚରଣ ବେହେରା, ରଥୁ ମହାନ୍ତ, ଭୋଳାନାଥ ବଘେଲ, ମୁକୁନ୍ଦ ମହାନ୍ତ, ରବି ବଘେଲ, ବୀରଭଦ୍ର ମହାନ୍ତ, ଗୌରହରି ଦାସ, ମାନସିଂ ମୁଣ୍ଡା, ଚିତ୍ତରଞ୍ଜନ ରାଉତ, ବସନ୍ତ ମିଶ୍ର, ଜ୍ଞାନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।