ବଣାଇଗଡ଼: ମଙ୍ଗଳବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ବଣାଇର ପୂର୍ବତନ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ଲହୁଣିପଡ଼ା ବ୍ଲକ୍ ଖୁଣ୍ଟଗାଁ ନୂଆଡିହିସ୍ଥ ବାସଭବନରେ ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଶେଷଶଯ୍ୟା ନିକଟରେ ପରିବାର, ଆତ୍ମୀୟ ପରିଜନ ଉପସ୍ଥିତ ଥିଲେ। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଆଜି ତାଙ୍କର ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନାତି ଧନଞ୍ଜୟ ମହାପାତ୍ର ମୁଖାଗ୍ନି ଦେଇଥିଲେ। 

Advertisment

ହେମେନ୍ଦ୍ରଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ଓ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ଶେଷଦର୍ଶନ ପାଇଁ ବହୁ ବିଶିଷ୍ଟବ୍ୟକ୍ତି ପହଞ୍ଚିଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପବାଚସ୍ପତି ଭବାନୀଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି। ୧୯୩୪ ଜାନୁଆରି ୨ରେ ଲହୁଣିପଡ଼ା ବ୍ଲକ୍‌ ଖୁଣ୍ଟଗାଁ ନୂଆଡିହିରେ ବଳରାମ ମହାପାତ୍ର ଓ ବୈଦେହୀଙ୍କ ଔରସରୁ ଜନ୍ମିତ ହେମେନ୍ଦ୍ର ପ୍ରସାଦ ପ୍ରଥମେ ୧୯୬୧ରେ ସ୍ବତନ୍ତ୍ରଦଳରୁ ବଣାଇ ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ। ପରେ ୧୯୬୭ ଓ ୧୯୭୧ରେ ମଧ୍ୟ ଲଗାତାର ନିର୍ବାଚିତ ହୋଇଥିଲେ। ହେମେନ୍ଦ୍ରଙ୍କ ବାପା ବଳରାମ ଖୁଣ୍ଟଗାଁ ସରପଞ୍ଚ ଥିଲେ। ହେମେନ୍ଦ୍ରଙ୍କ ୩ ପୁଅ ଓ ଜଣେ ଝିଅ ମଧ୍ୟରୁ ଝିଅଙ୍କର ସ୍ବର୍ଗବାସ ହୋଇଯାଇଛି। ଦୁଇପୁଅ ଗାଁରେ ରହି ଚାଷ କରୁଥିବାବେଳେ ସାନପୁଅ ରାଞ୍ଚିଠାରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଅଛନ୍ତି।