ଯାଜପୁର: ବିଜେଡିର ପୂର୍ବତନ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ବିଜେପି ସମର୍ଥିତ ସ୍ବାଧୀନ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏକ ଘଟଣାକ୍ରମରେ ଗତକାଲି ରାତି ପ୍ରାୟ ୨ଟାରେ ବଡ଼ଚଣା ଥାନା ଭିତରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ପୂର୍ବତନ ବିଧାୟକ ପ୍ରଣବଙ୍କ ଜଣେ ସମର୍ଥକଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖିଥିବା ଖବର ପାଇ ପ୍ରଣବ ବଡ଼ଚଣା ଥାନା ଆଇଆଇସି ମଧୁସ୍ମିତା ବେହେରାଙ୍କୁ ଫୋନ୍ କରିଥିଲେ। ଏହାର କିଛି ସମୟରେ ପରେ ପ୍ରଣବ ନିଜ ସମର୍ଥକମାନଙ୍କୁ ଧରି ବଡ଼ଚଣା ଥାନାରେ ପହଞ୍ଚିଥିଲେ। ପୁଲିସ ଅଟକ ରଖିଥିବା ତାଙ୍କ ସମର୍ଥକଙ୍କୁ ସଙ୍ଗେ ସଙ୍ଗେ ଛାଡ଼ିଦେଇଥିଲା। ତେବେ ଥାନା ଭିତରେ ପଶି ନିଜ ସମର୍ଥକଙ୍କୁ ପୁଲିସ ହେପାଜତରୁ ଛଡ଼ାଇନେବାକୁ ପ୍ରଣବଙ୍କ ଗୁଣ୍ଡାଗର୍ଦ୍ଦି ବୋଲି ଅଭିଯୋଗ କରିଛି ବିଜେପି। କିଛିଦିନ ପୂର୍ବରୁ ବଡ଼ଚଣା ଥାନାରେ ପ୍ରାଣାନ୍ତକ ଆକ୍ରମଣ, ଜୀବନରୁ ମାରିଦେବା ପାଇଁ ଧମକ ଓ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସମ୍ପର୍କିତ ଏକ ମାମଲାରେ ପୁଲିସ ମାମଲା ରୁଜୁ ହୋଇଥିଲା।
ଗୁଣ୍ଡାଗର୍ଦ୍ଦି କରୁଛନ୍ତି ପୂର୍ବତନ ବିଧାୟକ: ବିଜେପି
ପୁଲିସର ଦୁଇଟି ପାଠ ଚଳିବନି: ପ୍ରଣବ
ଏହି ମାମଲାରେ ଗତକାଲି ରାତିରେ ଅଭିଯୁକ୍ତଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖିଥିବା ବେଳେ ପୂର୍ବତନ ବିଧାୟକ ଥାନାରେ ପହଞ୍ଚି ଯାହା କଲେ, ତାହା ସମ୍ପୂର୍ଣ୍ଣ ବେଆଇନ ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବେଖାତିର। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ସମର୍ଥକମାନେ ଦାବି କରିଛନ୍ତି। ସେପଟେ ଶ୍ରୀ ବଳବନ୍ତରାୟ ଏହି ଅଭିଯୋଗକୁ ଚ୍ୟାଲେଞ୍ଜ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ ଡାକି ସେ କହିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବର୍ତ୍ତମାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ମହିଳା, ଶିଶୁ, ସାଧାରଣ ଜନତା ଏମିତିକି ଖୋଦ୍ ଥାନା ଭିତରେ କାର୍ଯ୍ୟରତ ମହିଳା ପୁଲିସ ମଧ୍ୟ ସୁରକ୍ଷିତ ନାହାନ୍ତି। ଏହାର ଜ୍ବଳନ୍ତ୍ବ ଦୃଷ୍ଟାନ୍ତ ହେଉଛି ଧର୍ମଶାଳା ଥାନା। କିଛିମାସ ପୂର୍ବରୁ ଜଣେ ମହିଳା ଏଏସ୍ଆଇ ଦୁର୍ବ୍ୟବହାରର ଶିକାର ହୋଇ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆଜି ଯାଏଁ ତାଙ୍କୁ ନ୍ୟାୟ ପ୍ରଦାନ କରାଯାଇନାହିଁ। କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଅଭିଯୁକ୍ତଙ୍କୁ ସାଙ୍ଗରେ ଧରି ପୁଲିସ ବୁଲୁଛି। ଏତଲାରେ ନାମ ନଥିବା ବ୍ୟକ୍ତିଙ୍କୁ ପୁଲିସ ଥାନାକୁ ଉଠାଇ ଆଣୁଛି। ପୁଲିସର ଦୁଇଟି ପାଠ ଚଳିବନି ବୋଲି କହିଛନ୍ତି ପ୍ରଣବ।
ଘଟଣା ସମ୍ପର୍କରେ ବଡ଼ଚଣା ଆଇଆଇସି ମଧୁସ୍ମିତା ବେହେରାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍ ଉଠାଇନଥିଲେ। ଯାଜପୁର ଏସ୍ପି ୟଶପ୍ରତାପ ଶ୍ରୀମଲଙ୍କ କହିବା ଅନୁସାରେ, ବଡ଼ଚଣା ଥାନାରେ ଏକ ମାମଲାରେ ଉକ୍ତ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ପୁଲିସର ସନ୍ଦେହ ଉପୁଜିଥିଲା। କିନ୍ତୁ ସେଭଳି କିଛି ପ୍ରମାଣ ନ ମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି। ଆବଶ୍ୟକ ପଡ଼ିଲେ ପୁଣି ତାଙ୍କୁ ଥାନାକୁ ଡକାଯିବ। ପୂର୍ବତନ ବିଧାୟକ ଥାନାକୁ ଆସିଥିବା ଖବର ସେ ଜାଣିନଥିବା କହିଥିଲେ।