ରାୟଗଡ଼ା: ନିର୍ବାଚନ ପରେ ରାୟଗଡ଼ା ଜିଲ୍ଲାରେ ପ୍ରଥମ ବଡ଼ଧରଣର ଦଳବଦଳ ହୋଇଛି। ବିଜେଡି ଛାଡ଼ିଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ବିଭୀଷଣ ମାଝୀ। ଆଜି ରାୟଗଡ଼ାରେ ଆୟୋଜିତ ସଦସ୍ୟତା ଅଭିଯାନ ଅବସରରେ ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କାଶୀପୁର ବ୍ଲକ୍‌ର ୫୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ। ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ଅବସରରେ ପୂର୍ବତନ ବିଧାୟକ ଏବଂ ସମସ୍ତ କର୍ମୀଙ୍କୁ ସ୍ବାଗତ କରିଥିଲେ। ଆଗକୁ ଭୁବନେଶ୍ୱରରେ ହେବାକୁ ଥିବା ମିଶ୍ରଣ ପର୍ବରେ ମଧ୍ୟ ଯୋଗଦେବାକୁ ମନ୍ତ୍ରୀ ନିମନ୍ତ୍ରଣ କରିଥିଲେ।

Advertisment

ଆଜି ସକାଳେ ରାଜ୍ୟ ବାଣିଜ୍ୟ, ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ରାୟଗଡ଼ା ପହଞ୍ଚି ସିରିଗୁଡ଼ା‌ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ଜନଜାତି ମୋର୍ଚ୍ଚା ସାଧାରଣ ସଂପାଦକ କାଳୀରାମ ମାଝୀ, ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରା, ସଂପାଦିକା ପୂର୍ଣ୍ଣିମା ନାୟକ, କାର୍ଯ୍ୟକାରୀ ସଦସ୍ୟ ଶିବ ଉଲ୍ଲାକା ପ୍ରମୁଖ ମଞ୍ଚାସୀନ ଥିଲେ। ଏହାପରେ ମନ୍ତ୍ରୀ ରାୟଗଡ଼ା ସହର ହାଉସିଂ କଲୋନି ନିକଟସ୍ଥ ୨୦୨ ନମ୍ବର ବୁଥ୍‌କୁ ଯାଇ ବିଜେପି ପକ୍ଷରୁ ଚାଲିଥିବା ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲା। ମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ନୀଳାଦ୍ରି ପାତ୍ର, ଜିଲ୍ଲା ଉପସଭାପତି ପଦ୍ମନାଭ ଦାଶ, ଅଶ୍ୱିନୀ କଞ୍ଚଡ଼ା, ସଂପାଦକ ପ୍ରତାପ ପୁଆଲା, ଯୁବମୋର୍ଚ୍ଚା ସଭାପତି ଉମେଶ ଖୋସଲା, ଗୁଣପୁର ନିର୍ବାଚନ ମଣ୍ଡଳ ପ୍ରଭାରୀ ଶିବାଜୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।