ବ୍ରଜରାଜନଗର, (ଉପନ ଚରଣ ସାହୁ): ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ବକୁ ଉଠି ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ରାଜନୈତିକ ବ୍ୟକ୍ତିମାନେ କାମ କରିବା ଉଚିତ। ଦଳ ଅପେକ୍ଷା ନିଜର ସରଳତା, ସେବା ମନୋବୃତ୍ତି, ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେବାକୁ ଶନିବାର ଶହେ ବର୍ଷରେ ପାଦ ଥାପିଥିବା ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ପ୍ରଥମ ବିଧାନସଭାକୁ ଏହି ଅଞ୍ଚଳରୁ ପ୍ରତିନିଧିତ୍ୱ କରିଥିଲେ। ୧୯୫୨ ମସିହା ମାର୍ଚ୍ଚ ୨୭ରେ ସୋସିଆଲିଷ୍ଟ ପାର୍ଟିରୁ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା-ମୁରା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ି ସେ ବିଧାନସଭାକୁ ଯାଇଥିଲେ। ସେ ସମୟର ବ୍ରଜରାଜନଗର ଅଞ୍ଚଳ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ରହିଥିବା ବେଳେ ଲଖନପୁର ଅଞ୍ଚଳ ମୁରା ଥାନା ଅଧୀନରେ ଥିଲା। ମକରଧ୍ୱଜ ବାବୁଙ୍କ ପୈତୃକ ଘର ରମ୍ପାଲୁଗାରେ ଥିଲା। ମାତ୍ର ରମ୍ପାଲୁଗା ହୀରାକୁଦ ନଦୀବନ୍ଧ ଦ୍ୱାରା ବୁଡ଼ିଯିବାରୁ ତାଙ୍କ ପରିବାର ସହ ଗ୍ରାମର ଅଧିକାଂଶ ଲୋକ ଆସି ବାଘମୁଣ୍ଡାରେ ରହିଲେ। ହୀରାକୁଦ ନଦୀବନ୍ଧ ଦ୍ୱାରା ବାଘମୁଣ୍ଡାର ଯଦିଓ କିଛି ଅଂଶ ବୁଡ଼ି ଥିଲା, ହେଲେ ବସବାସ ପାଇଁ ସମସ୍ୟା ନଥିଲା।
ସ୍ୱାଧୀନତା ପରେ ପ୍ରଥମ ନିର୍ବାଚନ ଲଢ଼ିବା ଅନୁଭୂତି ନିଆରା ବୋଲି କହିଛନ୍ତି ମକରଧ୍ୱଜ ବାବୁ। ସେ ସମୟର ମୋଟ ୮୫୦ ଟଙ୍କା ଓ କିଛି ଚାଉଳ, ଡାଲିରେ ସେ ନିର୍ବାଚନ ଲଢ଼ି ଜିତିଥିବା କହିଥିଲେ। ସେ ମୋଟ ୩୫୦୦ ଭୋଟ ପାଇଥିବା ବେଳେ ପ୍ରତିଦ୍ୱନ୍ଦ୍ବୀ ତାଙ୍କଠାରୁ ୫୦ ଖଣ୍ଡ ଭୋଟ୍ରେ ହାରିଥିଲେ। ନିର୍ବାଚନ ସମୟରେ କୌଣସି ଛନ୍ଦ କପଟତା ନଥିଲା। ନିର୍ବାଚନ ପ୍ରାୟ ୩ରୁ ୪ ଦିନ ଚାଲୁଥିଲା। କାରଣ ଭୋଟ ଦେବାକୁ ଭୋଟରଙ୍କୁ ପ୍ରାୟ ୬ ମାଇଲ ଯିବାକୁ ପଡ଼ିଥିଲା। ସେ ବିଧାୟକ ଭାବେ ୧୯୫୭ ମସିହା ପର୍ଯ୍ୟନ୍ତ ଅର୍ଥାତ ୫ ବର୍ଷ ୧୩ ଦିନ ରହିଥିଲେ। ହୀରାକୁଦ ଜଳଭଣ୍ଡାର ପାଇଁ ଅମ୍ବାଭୋନା-ମୁରାରୁ ଲଖନପୁର ଅଞ୍ଚଳ ବିଚ୍ଛିନ୍ନ ହୋଇ ରହିଥିଲା। ଫଳରେ ୧୯୬୧ ମସିହାରେ ବ୍ରଜରାଜନଗର ସ୍ୱତନ୍ତ୍ର ନିର୍ବାଚନମଣ୍ଡଳୀର ମାନ୍ୟତା ପାଇଥିଲା। ଏଥିରେ ବ୍ରଜରାଜନଗର ଓ ଲଖନପୁର ସାମିଲ ହୋଇଥିଲେ। ତାଙ୍କ ସମୟରେ ଭୋଟ ଦେବା ପାଇଁ ବର୍ତ୍ତମାନ ଭଳି ପରିଚୟପତ୍ର ନଥିଲା। ଲୋକ ଦେଇଥିବା ରେଭିନ୍ୟୁ ମାଲଗୁଜାରୀ କାଗଜ କିମ୍ବା ପଟ୍ଟା ପାଉତି ଧରି ଭୋଟ ଦେବାକୁ ଯାଉଥିଲେ। ସେ ସମୟର ଅନୁଭୂତିରୁ କିଛି ବାଣ୍ଟିବାକୁ ଯାଇ ଅଞ୍ଚଳର ବିକାଶ ପାଇଁ ଦଳୀୟ ରାଜନୀତି ଅପେକ୍ଷା ଲୋକଙ୍କ ହୃଦୟରେ ରହି ଆଗେ ରାଜନୀତି କରୁଥିଲେ ବୋଲି କହିଛନ୍ତି।
ନିର୍ବାଚନ ପ୍ରଚାରର ଏକମାତ୍ର ମାଧ୍ୟମ ସାଇକଲ ଥିଲା। ସାମ୍ପ୍ରତିକ ସମୟରେ ଭୋଟ ରାଜନୀତି ମୁଖ୍ୟତଃ ଦଳ, ବାହୁବଳ ଓ ଅର୍ଥବଳ ଉପରେ ନିର୍ଭର କରେ। କିନ୍ତୁ ଉତ୍ତମ ବ୍ୟକ୍ତିତ୍ୱ ଓ ସେବା ମନୋବୃତ୍ତି ନେଇ ରାଜନୀତି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଜିତିବାକୁ ହେଲେ ଲୋକଙ୍କ ହୃଦୟରେ ରହି ରାଜନୀତି କରିବାକୁ ହେବ ବୋଲି ଆଜିର ଜନ୍ମଦିନରେ ଯୁବ ସମାଜକୁ ସେ ପରାମର୍ଶ ଦେଇଛନ୍ତି। ବାର୍ଦ୍ଧକ୍ୟରେ ଉପନୀତ କାରଣରୁ କଥା କହିବାରେ ଯଦିଓ ନିଜର କଷ୍ଟ ବାରମ୍ବାର ପ୍ରକାଶ କରିଥିଲେ, ହେଲେ ଅଞ୍ଚଳର ବିକାଶ କଥା ପ୍ରସଙ୍ଗରେ ସେ ନିଜର ଯୁବ ସୁଲଭତା ଦେଖାଉଥିଲେ। ଅଞ୍ଚଳବାସୀଙ୍କ ମାନସିକତାକୁ ଲକ୍ଷ୍ୟ କରି ଏବେ ଜନସାଧାରଣ ନେତା ନୁହେଁ ସେବକ ଆବଶ୍ୟକ କରୁଛନ୍ତି ବୋଲି ମତ ଦେଇଥିଲେ। ଆଗାମୀ ଦିନରେ ପୁଣି ନିର୍ବାଚନ ସେହି ରାସ୍ତାକୁ ଫେରିବ ବୋଲି ଆଶା କରିଛନ୍ତି।
ମକରଧ୍ୱଜ ବାବୁ ବାଘମୁଣ୍ଡାରେ ତାଙ୍କ ପୁଅ, ନାତି, ନାତୁଣୀମାନଙ୍କ ସହିତ ରହୁଛନ୍ତି। ତାଙ୍କର ଗୋଟିଏ ପୁଅ ବେଲପାହାଡ଼ରେ ରହୁଥିବା ବେଳେ ୪ ପୁଅ ପାଖରେ ଅଛନ୍ତି। ଆଜି ତାଙ୍କର ଜନ୍ମ ଦିନରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଲଖନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ହିତେଶ୍ୱରୀ ତିହିରିଆ ଓ ଅନ୍ୟମାନେନେ ଯୋଗ ଦେଇ ଶୁଭେଚ୍ଛା ଜଣାଇଥିଲେ।