କୋଟପାଡ଼/କୋରାପୁଟ: କୋରାପୁଟର ପୂର୍ବତନ ବିଧାୟକ ନୃସିଂହାନନ୍ଦ ବ୍ରହ୍ମାଙ୍କ ୯୦ବର୍ଷ ବୟସରେ ଆଜି ଅପରାହ୍ନ ୪ଟାରେ ପରଲୋକ ହୋଇଛି। କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଡମଣାହାଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିବା ନୃସିଂହାନନ୍ଦ ୧୯୫୩ ମସିହାରେ ଡମଣାହାଣ୍ଡି ସରପଞ୍ଚ ଭାବେ ନିର୍ବାଚିତ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୫୪ ମସିହାରେ କଂଗ୍ରେସରେ ଯୋଗଦେଇ ୧୯୬୧ରୁ ୧୯୬୭ ମସିହା ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସରଳ ଜୀବନଯାପନ ସହ ମେଳାପୀ ସ୍ବଭାବ ଏବଂ ସାଂଗଠନିକ ଦକ୍ଷତା ଯୋଗୁଁ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଥିଲା। ୧୯୮୦ ବିଧାନସଭା ନିର୍ବାଚନରେ କୋରାପୁଟ ଆସନରୁ କଂଗ୍ରେସ (ଆଇ) ପ୍ରାର୍ଥୀ ଭାବେ ପ୍ରଥମ ଥର ନିର୍ବାଚିତ ହୋଇଥିଲେ। ସେହିପରି ୧୯୯୦ ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ପୁନର୍ବାର ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ୧୯୯୨ ମସିହାରେ ରାୟଗଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ସହ ଏଆଇସିସି ସଦସ୍ୟ ଭାବେ ମନୋନୀତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟନାୟକଙ୍କ ଜଣେ ଦୃଢ଼ ସମର୍ଥକ ଭାବେ ବେଶ ପରିଚିତ ଥିଲେ।

Advertisment

ବାର୍ଦ୍ଧକ୍ୟ କାରଣରୁ ରାଜନୀତିରୁ ଦୂରେଇ ଯାଇ କିଛି ବର୍ଷ ହେଲା ବଡ଼ପୁଅ ତଥା ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବ୍ରଜ କିଶୋର ବ୍ରହ୍ମାଙ୍କ ବ୍ରହ୍ମପୁର ସ୍ଥିତ ବାସଭବନ‌ରେ ରହୁଥିଲେ। ଆଜି ସଂଧ୍ୟାରେ ପରଲୋକ ଖବର ପାଇ କୋରାପୁଟ ଜିଲ୍ଲାରେ ରହୁଥିବା ପରିବାର ସଦସ୍ୟ ବ୍ରହ୍ମପୁର ଅଭିମୁଖେ ବାହାରିଛନ୍ତି। ଆସନ୍ତାକାଲି ସକାଳେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି। ପୂର୍ବତନ ବିଧାୟକଙ୍କ ବିୟୋଗ ଖବର ପ୍ରଚାର ହେବାପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।