ସୁନ୍ଦରଗଡ଼: ଦଳ ବିରୋଧରେ ପ୍ରଚାର କରିବା ତଳସରାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଡ. ପ୍ରଫୁଲ୍ଲ ମାଝୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ରବିବାର ବିଜେଡି ତାଙ୍କୁ ନିଲମ୍ବିତ କରିଛି। ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏ ସଂପର୍କିତ ବିଜ୍ଞପ୍ତି ଜାରି କରିଛନ୍ତି। ତଳସରା ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହେବାକୁ ଲବି ଚଳାଇଥିବା ଡ. ମାଝୀଙ୍କୁ ନିରାଶକରି ବିଜେଡି ବିନୟ କୁମାର ଟପ୍ପୋଙ୍କୁ ମଇଦାନକୁ ଓହ୍ଲାଇଛି। ଏହାକୁ ତୀବ୍ର ବିରୋଧ କରିଥିଲେ ପ୍ରଫୁଲ୍ଲ। ଦଳୀୟ ପ୍ରଚାରରୁ ବି ଦୂରେଇ ରହିଥିଲେ। ଏପରିକି କିଛିଦିନ ତଳେ ବିନୟଙ୍କୁ ଭୋଟ୍‌ ନଦେବାକୁ ପ୍ରଫୁଲ୍ଲ ନିଜ ସମର୍ଥକମାନଙ୍କୁ ଫୋନ୍‌ ଯୋଗେ ପରାମର୍ଶ ଦେଉଥିବାର ଏକ ଅଡିଓ ଭାଇରାଲ୍ ହୋଇଥିଲା। ଏହା ପରେ ଦଳ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି।

Advertisment

ଉଲ୍ଲେଖଯୋଗ୍ୟ, କଂଗ୍ରେସରୁ ଲଗାତର ୩ ଥର ବିଧାୟକ ହୋଇଥିବା ପ୍ରଫୁଲ୍ଲ ୨୦୧୯ରେ ପରାଜିତ ହେବା ପରେ କଂଗ୍ରେସ ଛାଡ଼ି ୨୦୨୧ ଡିସେମ୍ବରରେ ବିଜେଡିରେ ସାମିଲ ହୋଇଥିଲେ। ଦଳ ତାଙ୍କୁ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇଥିଲା। କିନ୍ତୁ ସ୍ଥାନୀୟ ବିଜେଡି ନେତା ଓ କର୍ମୀମାନଙ୍କୁ ଡ. ମାଝୀଙ୍କ ଯୋଗଦାନ ଅସନ୍ତୁଷ୍ଟ କରିଥିଲା। ଏହାର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା ୨୦୨୨  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ। ଏଥିରେ ପ୍ରଫୁଲ୍ଲ ନିଜ ପତ୍ନୀ ତ୍ରିବେଣୀ ମାଝୀଙ୍କୁ ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସନରେ ବସାଇବାକୁ ଚାହିଥିଲେ। ତଳସରା ପଞ୍ଚାୟତ ସମିତିସଭ୍ୟା ଆସନରେ ତ୍ରିବେଣୀଙ୍କୁ ପ୍ରାର୍ଥୀ କରିଥିଲେ। କିନ୍ତୁ  ନିର୍ବାଚନରେ ତାଙ୍କୁ ସ୍ଥାନୀୟ ମୂଳ ବିଜେଡି ସମର୍ଥନ ଦେଇ ନଥିଲା। ଦଳର କିଛିନେତା ତ୍ରିବେଣୀଙ୍କ ପ୍ରତିପକ୍ଷ କୁଞ୍ଜଲତା ଭିତିରିଆଙ୍କୁ ଖୋଲା ସମର୍ଥନ ଦେଇଥିଲେ। ଯାହାକୁ ନେଇ ପ୍ରଫୁଲ୍ଲ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ ନିର୍ବାଚନ ଶେଷ ଯାଏ ଏକୁଟିଆ ପଡ଼ିଯାଇଥିଲେ। ଶତ ଉଦ୍ୟମ ପରେ ବି ତ୍ରିବେଣୀ ଅଧ୍ୟକ୍ଷା ହୋଇପାରି ନଥିଲେ। ଏହାସତ୍ତ୍ବେ ୨୦୨୪ ନିର୍ବାଚନକୁ ଆଖିଆଗରେ ରଖି ପ୍ରଫୁଲ୍ଲ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଥିଲେ।