ବରଗଡ଼ / ବରପାଲି : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତାଙ୍କ ଗୁରୁବାର ପରଲୋକ ଘଟିଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।
ଗତକାଲି ସନ୍ଧ୍ୟାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ଶେଷଶଯ୍ୟା ନିକଟରେ ବଡ଼ ପୁଅ ନରେନ୍ଦ୍ର ହୋତା, ମଝିଆ ପୁଅ ମନୋଜ ହୋତା, ସାନପୁଅ ସରୋଜ ହୋତା ଓ ଝିଅ ଜ୍ୟୋତ୍ସ୍ନା ଉପସ୍ଥିତ ଥିଲେ। ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ। ସ୍ବର୍ଗତ ହୋତାଙ୍କ ବିୟୋଗରେ କଂଗ୍ରେସର ବରିଷ୍ଠ ନେତା ତଥା ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରିଛନ୍ତି।
ସ୍ବର୍ଗତଃ ହୋତା ୧୯୩୫ ମସିହା ମାର୍ଚ୍ଚ ୨୩ ତାରିଖ ମାମୁଁଘର ଛତିଶଗଡ଼ ରାଜ୍ୟର ସାରଙ୍ଗଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ସମୟରୁ ହିଁ ସେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୬୦ ମସିହାରେ ସେ ପ୍ରଥମେ ପଞ୍ଚାୟତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୧୯୬୦ ମସିହାରେ ସେ ପ୍ରଥମେ ପଞ୍ଚାୟତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୧୯୬୨ ମସିହାରେ ବରପାଲି ବ୍ଲକ୍ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୮୦ରେ ବିଜେପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ବିଜୟୀ ହୋଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ବିଧାନସଭାରେ ଜଣେ ଦକ୍ଷ ବିଧାୟକ ଭାବେ ସେ ସୁନାମ ଅର୍ଜନ କରିଥିଲେ। ୧୯୮୩ ମସିହାରେ ସେ ଓଡ଼ିଶା ମାର୍କଫେଡ୍ର ଅଧ୍ୟକ୍ଷ ଭାବରେ ଥିଲେ। ତାଙ୍କ ଅମଳରେ ବହୁ ଜନହିତକର କାର୍ଯ୍ୟ ହୋଇପାରିଥିଲା। ବରପାଲି ଫାର୍ମାସିଟିକାଲ କଲେଜର ସେ ପ୍ରାଣ ପ୍ରତିଷ୍ଠାତା ରହିଥିଲେ। ବରପାଲିର ବହୁ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ। ୧୯୯୫ ମସିହାରେ ସ୍ବାଧୀନ ଭାବେ ଏହି ନିର୍ବାଚନ ମଣ୍ଡଳୀରୁ ଲଢ଼ି ରିପୁନାଥ ସେଠ୍ଙ୍କଠାରୁ ପରାଜିତ ହୋଇଥିଲେ। ଏଥିସହିତ ବରପାଲିର ସାର୍ବଜନୀନ କାଳୀ ପୂଜା ତଥା ଶ୍ୟାମା ମ୍ୟୁଜିକାଲ୍ସ, ଶ୍ୟାମା କ୍ଲବ ଆଦିର ପ୍ରତିଷ୍ଠାନ ସହ ବରପାଲି ବ୍ଲକ୍ ସନାତନୀ ବ୍ରାହ୍ମଣ ସମାଜର ସେ ସଭାପତି ଥିଲେ।