ଅନୁଗୁଳ/ନାଲ୍‌କୋନଗର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ‌ଜେନା(୮୬)ଙ୍କ ଶନିବାର ପରଲୋକ ହୋଇଛି। କିଛିଦିନ ହେଲା ସେ ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ। ଆଜି ଅବସ୍ଥା ଅଧିକ ବିଗିଡ଼ିଯିବାରୁ ତାଙ୍କୁ ନାଲ୍‌କୋ ଡାକ୍ତରଖାନାକୁ ନିଆଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟାହ୍ନ ୧୨ଟା ୧୦ରେ ତାଙ୍କର ଦେହାନ୍ତ ହୋଇଛି।

Advertisment

ଜଣେ ଶ୍ରମିକ ନେତା ଭାବେ ପରିଚିତ ରମେଶ ଜେନା ୧୯୯୫ରେ ଅନୁଗୁଳ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ। ତାଙ୍କ ସମୟରେ ଅନେକ ପ୍ରକଳ୍ପ ହାତକୁ ନେଇଥିଲେ। ଦୀର୍ଘ ବର୍ଷ ଧରି ସେ ଜିଲ୍ଲା କଂଗ୍ରେସ ସଭାପତି ଭାବେ ମଧ୍ୟ କାମ କରିଛନ୍ତି। ତେବେ ଗତ କିଛିଦିନ ‌ହେଲା ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପୁଅ ରାଜୀବ ଜେନା, ବିପ୍ଳବ ଜେନା, ପ୍ରଣବ ଜେନା, ବିଭବ ଜେନା, ଶୁଭେନ୍ଦୁ ଜେନା ଓ ରଶ୍ମିରଂଜିତା ଜେନା ଓ ଜ୍ବାଇଁ ସନାତନ କହଁରଙ୍କ ସମେତ ପରିବାର ବର୍ଗ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ନେତା ପ୍ରତାପ ପ୍ରଧାନଙ୍କ ସମେତ ବହୁ ବିଶି‌ଷ୍ଟ ବ୍ୟକ୍ତି ତାଙ୍କ କୁଲାଡ଼ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ମୃତଦେହକୁ ଗ୍ରାମ ପରିକ୍ରମା କରାଯାଇ ନାଲ୍‌କୋ ଶ୍ରମିକ ୟୁନିଅନ୍‌ କାର୍ଯ୍ୟାଳୟକୁ ନିଆଯାଇଥିଲା। ପରେ ଅନୁଗୁଳରେ ଥିବା କାଞ୍ଚନ ଟକିଜ୍‌ ଓ କଂଗ୍ରେସ ଭବନ ଅଣାଯାଇଥିଲା। ଏଠାରେ ବହୁ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ପୁଲିସ ଚାକିରି ଛାଡ଼ି ରମେଶ ଜେନା ରାଜନୀତିରେ ପାଦ ଥାପି ଥିଲେ। ନାଲକୋରେ ପ୍ରଥମେ ଶ୍ରମିକ କଲ୍ୟାଣ ସଂଗଠନ ପ୍ରତିଷ୍ଠା କରି ଶିଳ୍ପ ଉଦ୍ୟୋଗରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ବହୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଥିଲେ। ନାଲ୍‌କୋ ଦ୍ୱାରା ଜମିହରା କ୍ଷତିଗ୍ରସ୍ତଙ୍କୁ ନାଲ୍‌କୋରେ ନିଯୁକ୍ତି ଦେବା ପାଇଁ ସେ ସଂଗ୍ରାମ କରିଥିଲେ। ପରେ ରାଷ୍ଟ୍ରୀୟ ମଜୁଦୂର କଂଗ୍ରେସ ସହବନ୍ଧିତ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନ୍‌ ପ୍ରତିଷ୍ଠା କରିଥିଲେ। ଶ୍ରୀ ଜେନା ୧୯୮୫ରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ହୋଇଥିଲେ। ୧୯୯୧ରୁ ୧୯୯୯ମସିହା ଯାଏଁ ଅଖିଳ ଭାରତ କଂଗ୍ରେସ କମିଟିର ନିମନ୍ତ୍ରିତ ସଦସ୍ୟ ଥିଲେ। ଏଥି ସହିତ ଶ୍ରୀ ଜେନା ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ମଧ୍ୟ ଥିଲେ। ଶେଷ ପର୍ଯ୍ୟନ୍ତ ଶ୍ରୀ ଜେନା ଆଇଏନ୍‌ଟିୟୁସି ଓଡ଼ିଶା ଶାଖାର କାର୍ଯ୍ୟକାରୀ ସଭାପତି ଥିଲେ। ସେ ସ୍ଥାନୀୟ ଅଞ୍ଚଳର ବହୁ ଉନ୍ନୟନ କାର୍ଯ୍ୟ କରିଥିବାବେଳେ ବଅଁରପାଳରେ ରାଜୀବ ଗାନ୍ଧୀ ସ୍ମୁତି ପୀଠ ପ୍ରତିଷ୍ଠା କରିଥିଲେ। କୁଲାଡ଼ରେ ରାଜୀବ ମେମୋରିଆଲ କ୍ଲବ ଏବଂ ଆଲୁମିନିୟମ ହାଇସ୍କୁଲ ପ୍ରତିଷ୍ଠା କରିଥିଲେ। କେନ୍ଦ୍ର ସରକାରଙ୍କ ଅନୁମୋଦନରେ ରେଲୱେ ବୋର୍ଡ କମିଟି ସଦସ୍ୟ ଓ ଦୂରଦର୍ଶନ କମିଟିର ସଦସ୍ୟ ଭାବେ ମଧ୍ୟ ସେ କାମ କରିଛନ୍ତି।