ପୂର୍ବତନ ବିଧାୟକ ରାମରାୟ ମୁଣ୍ଡାଙ୍କ ପରଲୋକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା (୮୫)ଙ୍କ ଶନିବାର ପରଲୋକ ହୋଇଛି। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ଶନିବାର ଦିନ ଦୀର୍ଘ ସମୟ ଧରି ସେ ନିଦରୁ ନ ଉଠିବାରୁ ପରିବାର ଲୋକେ ଡାକିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପରଲୋକ ଖବର ଜଣାପଡ଼ିବା ପରେ ଚାକୁଣ୍ଡାପାଳସ୍ଥିତ ବାସଭବନରେ ତାଙ୍କ ଅନ୍ତିମଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଥିଲା।

ସେ ୧୯୬୭ରୁ ୧୯୭୨ ମସିହା ପର୍ଯ୍ୟନ୍ତ ପାଟଣାର ବିଧାୟକ ଥିଲେ। ସେ ସ୍ୱତନ୍ତ୍ର ପାର୍ଟିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସମୟରେ ସେ ପଟଣା ଅଞ୍ଚଳର ବିକାଶ ପାଇଁ ଅନେକ କାମ କରିଥିଲେ। ସାଇକଲରେ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଥିଲେ। ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସାହାରପଡ଼ା ନିକଟସ୍ଥ ଦେଓନଦୀ ପୋଲ ତାଙ୍କ ଉଦ୍ୟମରେ ନିର୍ମାଣ ହୋଇଥିଲା। ସ୍ନାତକ ପାସ୍‌ କରିବା ପରେ ସେ ପ୍ରଥମେ ବନପାଳ ଓ ପରେ ଶିକ୍ଷକତା କରିଥିଲେ। ପରେ ରାଜନୀତିକୁ ଆସିବା ସହ ପାଟଣାର ବିଧାୟକ ହୋଇଥିଲେ।

ବିଳାସପୂର୍ଣ୍ଣ ଜୀବନଠାରୁ ବେଶ ଦୂରରେ ଥିଲେ ରାମରାୟ ମୁଣ୍ଡା। ଏକ ଖପର ଘରେ ପରିବାର ସହ ରହୁଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନାତି ଦିଲୀପ କୁମାର ମୁଣ୍ଡା ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର