ଗୁରୁଡ଼ିଝାଟିଆ/ଆଠଗଡ଼: ପୂର୍ବତନ ବିଧାୟକ ରସାନନ୍ଦ ସାହୁ (୮୬)ଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ, ଦୁଇ ପୁଅ ଓ ଝିଅ ଉପସ୍ଥିତ ଥିଲେ। ତାଙ୍କର ୩ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ବଡ଼ପୁଅ ନିର୍ମଳ ସାହୁ କିଛି ମାସ ତଳେ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

Advertisment

ରସାନନ୍ଦ ୧୯୩୭ ଜୁଲାଇ ୭ ତାରିଖରେ ଆଠଗଡ଼ ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଗୋବରା ପଂଚାୟତର କାଦୁଆ ନୂଆଗାଁ ଠାରେ ଜନ୍ମଗ୍ରହଣ କରିଥିଲେ। ସେ ଶିକ୍ଷକତା ଛାଡ଼ି ରାଜନୀତିରେ ସାମିଲ ହୋଇଥିଲେ। ସେ ଆଠଗଡ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଥିଲେ। ୧୯୭୪ ମସିହାରେ ଆଠଗଡ଼ ଆସନରୁ ସ୍ୱାଧୀନ ପ୍ରାର୍ଥୀ ରୂପେ ରାଧାନାଥ ରଥଙ୍କ ସହ ପ୍ରତିଦ୍ବନ୍ଦିତା କରି ପରାସ୍ତ ହୋଇଥିଲେ। ୧୯୭୭ରେ ବି ସେ କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ୧୯୮୦ ମସିହାରେ ସେ ପୁଣି ଆଠଗଡ଼ରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ଅଚ୍ୟୁତାନନ୍ଦ ଦାଶଙ୍କୁ ହରାଇ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ। କିନ୍ତୁ ବିଧାୟକ ହେବାର ମାତ୍ର ୪ ମାସ ପରେ ସେ ଇସ୍ତଫା ଦେଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସେତେବେଳେ ବିଧାୟକ ନଥିବାରୁ ତାଙ୍କ ପାଇଁ ରସାନନ୍ଦ ଆଠଗଡ଼ ଆସନରୁ ଇସ୍ତଫା ଦେଇଥିଲେ।

ଜାନକୀବଲ୍ଲଭ ଆଠଗଡ଼ ବିଧାନସଭା ଆସନରୁ ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ରସାନନ୍ଦ ବିଧାୟକ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କରି ସମୟରେ ଆଠଗଡରେ ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲା। ପରେ ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ସେ ଟାଙ୍ଗୀ-ଚୌଦ୍ୱାର ଆସନରୁ ବିଧାୟକ ହୋଇଥିଲେ। ସେହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ସେ ରାଜକିଶୋର ରାମଙ୍କୁ ହରାଇଥିଲେ। ଆଠଗଡ ଶୀତଳଭଣ୍ତାରର ସେ ପ୍ରତିଷ୍ଠାତା ସଭାପତି ଥିଲେ। ୧୯୯୦ରୁ ସେ ସକ୍ରୀୟ ରାଜନୀତିରୁ ଅବସର ନେଇଥିଲେ ବି ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ସହିତ ସଂପୃକ୍ତ ରହି ଆସିଥିଲେ। ୨୦୦୦ ମସିହା ପରଠାରୁ ସେ ଗୁରୁଡ଼ିଝାଟିଆରେ ଥିବା ତାଙ୍କ ବାସଭବନରେ ରହି ଆସୁଥିଲେ।