ଭୁବନେଶ୍ବର: ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ଶ୍ରୀ ଜେନା ହାତ ଧରିଛନ୍ତି। ଏହାସହ ଗତ ୩୦ବର୍ଷ ଧରି ଗଣମାଧ୍ୟମ ସହ ଜଡ଼ିତ ବରିଷ୍ଠ ସାମ୍ବାଦିକ ଜଗଦାନନ୍ଦ ପ୍ରଧାନ ମଧ୍ୟ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି।
କଂଗ୍ରେସରେ ସାମିଲ ହେବା ପରେ ଶ୍ରୀ ଜେନା କହିଛନ୍ତି, ଦେଶର ସମ୍ବିଧାନ, ଧର୍ମନିରପେକ୍ଷତା ଓ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ କଂଗ୍ରେସରେ ଯୋଗ ଦେଇଛି। ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଲଢ଼େଇକୁ ଶାଣିତ କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ସେହିପରି ଶ୍ରୀ ପ୍ରଧାନ ରାଜ୍ୟ ତଥା ଦେଶର ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଛନ୍ତି। ଅନୁଗୁଳ ଜିଲ୍ଲାର ଲୋକମାନଙ୍କ ସମସ୍ୟାକୁ ସାମ୍ନାକୁ ଆଣିବା ସହିତ ନିଜକୁ ସମାଜସେବାରେ ନିୟୋଜିତ କରିଛନ୍ତି। ପୂର୍ବତନ ବିଧାୟକ ସୁଦର୍ଶନଙ୍କ ସହ ରେମୁଣା ବ୍ଲକ୍ ବିଜେଡି ସଦସ୍ୟ କମଳଲୋଚନ ଆଚାର୍ଯ୍ୟ, ସେକ୍ ରାଜୁ, ଅନ୍ତର୍ଯ୍ୟାମୀ ପାଲ, ବୀରେନ୍ଦ୍ର ପଣ୍ଡା, ସେକ ସଲିମ, ସେକ ମୁସଲିମ, ମଲ୍ଲିକ ଜଲ୍ଲାର, ରଫିକ ଖାନ, ଆଶିଷ ମିଶ୍ର, ପ୍ରଶାନ୍ତ କର, ଅଜିତ ଦାସ ଓ ଅନ୍ୟାମାନେ କଂଗ୍ରେସରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନ୍ଗୋ, ବିଶ୍ବରଂଜନ ମହାନ୍ତି, ସଞ୍ଜୀବ ଗିରି, ବିଶ୍ବଜିତ ଦାଶ ଓ ମନୋରଂଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖ ଯେ ୨୦୦୯ ମସିହାରେ ଶ୍ରୀ ଜେନା ବିଜେଡି ଟିକେଟରେ ରେମୁଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ ମସିହାରେ ବିଜେପି ପ୍ରାର୍ଥୀ ଗୋବିନ୍ଦ୍ର ଚନ୍ଦ୍ର ଦାସଙ୍କଠାରୁ ହାରି ଯାଇଥିଲେ। ୨୦୧୯ ମସିହାରେ ବିଜେଡି ତାଙ୍କୁ ଟିକେଟ ଦେଇ ନ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/gdgjdgjgj-1.jpg)