ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କ ପରଲୋକ

ବିଶ୍ବବିଖ୍ୟାତ ପକ୍ଷୀ ବିଜ୍ଞାନୀ ଭାବେ ପରିଚିତ ଥିଲେ, ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ଶୋକ

ପାଟପୁର : ବିଶ୍ବବିଖ୍ୟାତ ପକ୍ଷୀ ବିଶାରଦ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପୋଡ଼ାମାରୀ ରାଜା ତଥା ମୋହନା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡ.ଉଦୟ ନାରାୟଣ ଦେବଙ୍କ ଗୁରୁବାର ସକାଳେ ୮୮ ବର୍ଷ ବୟସରେ ପରଲୋକ ଘଟିଛି। ଗତକାଲି ହଠାତ୍‌ ସେ ଅସୁସ୍ଥ ହୋଇ ପଡ଼ିବାରୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ୧୧ଟା ୫୦ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଅବିଭକ୍ତ ଗଞ୍ଜାମ ଜିଲ୍ଲାର ମୋହନା ନିର୍ବାଚନମଣ୍ଡଳୀରୁ ସେ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୪ରେ ଉତ୍କଳ କଂଗ୍ରେସ ପାର୍ଟି, ୧୯୭୭ରେ ସ୍ବାଧୀନ ଓ ୧୯୮୦ରେ ଜନତା ପାର୍ଟିରୁ ସେ ବିଧାୟକ ହୋଇଥିଲେ। ବିଧାୟକ ଥିବା ସମୟରେ ସେ ମୋହନା ନିର୍ବାଚନମଣ୍ଡଳୀରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇ ଜଣେ ଲୋକପ୍ରିୟ ନେତା ତଥା ପ୍ରଜାଙ୍କ ସେବକ ଭାବେ ସ୍ବତନ୍ତ୍ର ପରିଚୟ ତିଆରି କରି ପାରିଥିଲେ। ଏହି ଖବର ପ୍ରଚାର ହେବାକ୍ଷଣି ସମଗ୍ର ଗଞ୍ଜାମ ଜିଲ୍ଲା, ମୋହନା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଡ.ଉଦୟ ନାରାୟଣଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଟ୍ବିଟ୍‌ ଯୋଗେ ସମବେଦନା ବାର୍ତ୍ତା ଦେଇଛନ୍ତି। ମୋହନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ବିଧାନସଭାର ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ‌ରାଜା ଡ.ଦେବଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତାଙ୍କର ଏକମାତ୍ର ପୁଅ ବୀରକିଶୋର ଦେବଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ବହୁ ରାଜନେତା, ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକଟ କରିଛନ୍ତି। ରାଜାଙ୍କ ମରଶରୀରକୁ ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରୀ ସ୍ଥିତ ରାଜଉଆସକୁ ଅଣା ଯାଇଥିଲା। ବହୁ ସଂଖ୍ୟାରେ ଜନସାଧାରଣ ତାଙ୍କର ଶେଷ ଦର୍ଶନ କରିଛନ୍ତି। ଅଭିଷେକ ପରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି।

ନନ୍ଦକିଶୋର ଅନଙ୍ଗଭୀମ ଦେବ ଓ ମାତା ରତ୍ନମଣି ପାଟମହାଦେବୀଙ୍କ ପୁତ୍ର ଉଦୟ ନାରାୟଣ ୧୯୩୫ ମସିହା ଅକ୍ଟୋବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପକ୍ଷୀଙ୍କ ଉପରେ ଗବେଷଣା ପ୍ରତି ତାଙ୍କର ଶୈଶବରୁ ଦୁର୍ବଳତା ରହିଥିଲା। ରାଜନୀତିରୁ ସନ୍ୟାସ ନେବାପରେ ଉଦୟ ନାରାୟଣ ପକ୍ଷୀଙ୍କ ଉପରେ ଗବେଷଣା ଜାରି ରଖିଥିଲେ। ଦେଶୀ ବିଦେଶୀ ପକ୍ଷୀଙ୍କ ଉପରେ ଅହରହ ଗବେଷଣା କରି ରାଜା ଉଦୟ ନାରାୟଣ ଅନେକ ସନ୍ଦର୍ଭ ପ୍ରସ୍ତୁତ କରିଥିଲେ। ବିଶ୍ବବିଖ୍ୟାତ ବିହଙ୍ଗ ବିଶାରଦ ତଥା ପକ୍ଷୀବିଜ୍ଞାନୀ ଭାବେ ସୁଖ୍ୟାତି ଅର୍ଜନ କରିଥିଲେ। ପକ୍ଷୀଙ୍କ ଉପରେ ଗବେଷଣା କରୁଥିବା ଦେଶ ବିଦେଶର ଗବେଷକମାନେ ତାଙ୍କ ସନ୍ଦର୍ଭରୁ ବେଶ୍‌ ଉପାଦେୟ ତଥ୍ୟ ପାଇ ପାରୁଛନ୍ତି। ରାଜା ଉଦୟନାରାୟଣ ତାଙ୍କର ଗବେଷଣା ‘ପ୍ରୋଜେକ୍ଟ୍‌ ବିହଙ୍ଗ’ ପାଇଁ ଚିଲିକାରେ ଏକ ପକ୍ଷୀ ମ୍ୟୁଜିୟମ୍ ବି ପ୍ରତିଷ୍ଠା କରିଥିଲେ। ସେଠାରେ ବର୍ତ୍ତମାନ ଯୁବ ଗବେଷକମାନେ ପକ୍ଷୀଙ୍କ ଉପରେ ଗବେଷଣା କରୁଛନ୍ତି। ଗତ ସପ୍ତାହକ ପୂର୍ବେ ତାଙ୍କର ଦୀର୍ଘ ୪୫ ବର୍ଷର ସାଧନାର ସ୍ମୃତି ଅଭିଧାନ ‘ବିହଙ୍ଗ ସଂହିତା’କୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉନ୍ମୋଚନ କରିଥିଲେ। ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କର ଏକମାତ୍ର ପୁତ୍ର ବୀରକିଶୋର ଦେବ ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରୀ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ରାଜା ଉଦୟ ନାରାୟଣ ବର୍ତ୍ତମାନ ଭୁବନେଶ୍ବର ଖଣ୍ଡଗିରି ଭରତପୁରରେ ରହୁଥିଲେ। ମଝିରେ ମଝିରେ ସେ ପୋଡ଼ାମାରୀ ସ୍ଥିତ ରାଜଉଆସକୁ ଆସୁଥିଲେ।

ସମ୍ବନ୍ଧିତ ଖବର