ପିପିଲି ପୂର୍ବତନ ବିଧାୟକଙ୍କ ଜାମିନ ମାମଲା; ସୋମବାର ଶୁଣାଣି

କଟକ : ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଜାମିନ ଆବେଦନ ଉପରେ ଏତଲାକାରୀ ଜବାବ ରଖିବା ପାଇଁ ମହଲତ ନେଇଥିବାରୁ ଏହି ମାମଲାର ଶୁଣାଣି ଆସନ୍ତା ସୋମବାର ଦିନ ହେବ। ଏହି ମାମଲାରେ ସରକାରଙ୍କ ପକ୍ଷରୁ କେସ ଡାଏରୀ ଦାଖଲ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭାରତୀ ଦାଶ ମାମଲା ପରିଚାଳନା କରୁଛନ୍ତି। ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିବା ଯୁଧିଷ୍ଠିରଙ୍କ ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। କୁନ୍ଦୁଲି ଘଟଣାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଜାନୁଆରି ୨୪ତାରିଖରେ ବନ୍ଦ ଡାକରା ଓ ୧୨ଘଣ୍ଟିଆ ହରତାଳ ଚାଲିଥିଲା। ପିପିଲି ଅଞ୍ଚଳରେ ଏ ନେଇ ଉଭୟଙ୍କ ରାଲି ବାହାରିଥିଲା। ଏହି ସମୟରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ। ଏହାପରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ବିଜେପି କର୍ମୀଙ୍କୁ ଆକ୍ରମଣ କରିବା ନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓ ତାଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆବେଦନକାରୀ ଜାମିନ ଆବେଦନକୁ ନିକଟରେ ପ୍ରତ୍ୟାହାର କରିନେଇଥିବା ବେଳେ ଉକ୍ତ ମାମଲାରେ ଚାର୍ଜସିଟ ଦାଖଲ ହେବା ପରେ ପୁଣି ଥରେ ଜାମିନ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର