ଦଶରଥପୁର : ଯାଜପୁରର ପୂର୍ବତନ ସାଂସଦ ଅନାଦି ଚରଣ ଦାସ(୯୨)ଙ୍କର ଶୁକ୍ରବାର ଦିନ ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ଅପରାହ୍ନ ୫.୨୦ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Advertisment

ସ୍ବର୍ଗତ ଦାସ ଯାଜପୁର ଲୋକସଭା ଆସନରୁ ମୋଟ୍‌ ୫ ଥର ୧୯୭୧, ୧୯୮୦, ୧୯୮୪, ୧୯୮୯ ଓ ୧୯୯୧ ମସିହାରେ ସଂସଦକୁ ନିର୍ବାଚିତ ହୋଇଥିଲେ। ପ୍ରଥମ ୩ଥର କଂଗ୍ରେସରୁ ଏବଂ ୧୯୮୯, ୧୯୯୧ ମସିହାରେ ସେ ଜନତା ଦଳରୁ ସାଂସଦ ହୋଇଥିଲେ। ପରେ ସେ ପୁଣି କଂଗ୍ରେସକୁ ଫେରି ରାଜନୀତିରେ ସକ୍ରିୟ ଥିଲେ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତର ବିଜିପୁର ଗ୍ରାମରେ ସ୍ୱର୍ଗତ ଦାସଙ୍କ ଘର। ଜଣେ ଗାନ୍ଧିବାଦୀ ନେତା ଭାବେ ଜଣାଶୁଣା ଥିଲେ। ଭୂଦାନ ଆନ୍ଦୋଳନର ନେତୃତ୍ୱ ନେଇ ପରବର୍ତ୍ତୀ ସମୟରେ ସେ ରାଜନୀତିକୁ ଆସିଥିଲେ। ସେ ରାଷ୍ଟ୍ରୀୟ ଆଦିବାସୀ ଓ ହରିଜନ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ ଇନ୍ଦିରା ଗାନ୍ଧି ଓ ଭିପି ସିଂଙ୍କ ସମୟରେ ୨ଥର ଦାୟିତ୍ୱ ତୁଲାଇଥିଲେ। ନିଜ କାର୍ଯ୍ୟକାଳ ସମୟରେ ଟେଲିକମ୍‌ ଏବଂ ଡାକ କ୍ଷେତ୍ରରେ ଅନେକ ପଦକ୍ଷେପ ନେବାସହ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲେ। ଯାଜପୁରରୋଡ ରେଲୱେ ଓଭରବ୍ରିଜ ତାଙ୍କ ସମୟରେ କାର୍ଯ୍ୟକାରୀ ହୋଇଥିଲା।
ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ୪ ପୁଅଙ୍କ ମଧ୍ୟରୁ ୩ ଜଣଙ୍କ ପୂର୍ବରୁ ମୃତ୍ୟୁ ହୋଇଛି। ଶେଷଶଯ୍ୟା ନିକଟରେ ପୁଅ ହେମନ୍ତ ଉପସ୍ଥିତ ଥିଲେ। ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ନିଜ ଗାଁକୁ ମରଶରୀର ଅଣାଯାଇଛି। ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଆସନ୍ତାକାଲି ଶନିବାର ସକାଳେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ପୁଅ ହେମନ୍ତ ସୂଚନା ଦେଇଛନ୍ତି।

ତାଙ୍କ ବିୟୋଗରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ସାଂସଦ ଅଞ୍ଚଳ ଦାସ, ଜିଲ୍ଲା ସଭାପତି ମନୋଜ ରାଉତ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପୂର୍ବତନ ସଭାପତି ଶିଶିର ନାୟକ, ସନ୍ତୋଷ ନନ୍ଦ, କନକଲତା ମଲ୍ଲିକ, ବ୍ଲକ କଂଗ୍ରେସ ସଭାପତି ଶ୍ୟାମସୁନ୍ଦର କର, ପିସିସି ସଭ୍ୟ ଦେବେନ୍ଦ୍ର ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଶରତ ଓ ନିରଞ୍ଜନଙ୍କ ଶୋକ
ଭୁବନେଶ୍ବର : ଗାନ୍ଧୀବାଦୀ ସର୍ବୋଦୟ, ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଅନାଦି ଚରଣ ଦାସଙ୍କ ବିୟୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ଶୋକବାର୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ ଦାସଙ୍କ ଜଣେ ସଚ୍ଚୋଟ, ନିର୍ଭୀକ, ଗାନ୍ଧୀବାଦୀ ସର୍ବେଦାୟ ଜନନେତା ଭାବେ ସୁନାମ ରହିଥିଲା। ତାଙ୍କ ବିୟୋଗ ରାଜ୍ୟ ରାଜନୀତି ବିଶେଷକରି କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ଶୋକାବାର୍ତାରେ କହିଛନ୍ତି ଯେ ଅନାଦି ବାବୁଙ୍କ ସହ ଦୀର୍ଘଦିନର ସଂପର୍କ ରହିଥିଲା। କଂଗ୍ରେସ ଦଳର ସଂଗଠନକୁ ଆଗେଇ ନେବା ପାଇଁ ସବୁବେଳେ ଚେଷ୍ଟା କରୁଥିଲେ। ଦଳମତ ନିର୍ବିଶେଷରେ ଲୋକମାନଙ୍କ ପ୍ରତି ତାଙ୍କର ନିଷ୍ଠା ଓ ଆନ୍ତରିକତାର ଆଜି ଅବସାନ ଘଟିଲା। ଏହି ଦୁଃଖଦ ସମୟରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ସାହସ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।