କଟକ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ରାଜନେତା ନରେନ୍ଦ୍ର ସ୍ବାଇଁଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ସିଡିଏ ସେକ୍ଟର-୬ ସ୍ଥିତ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଦିନ ପ୍ରାୟ ୧ଟା ୧୫ରେ ତାଙ୍କର ମୃତ୍ୟୁ ଘଟିଥିବା ସଂପର୍କରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ମୃତ୍ୟୁରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳର ବରିଷ୍ଠ ନେତା ନରେନ୍ଦ୍ର ସ୍ୱାଇଁ ୨୦୧୫ ଡିସେମ୍ବର ୬ରୁ ୨୦୨୦ ଏପ୍ରିଲ ୨ ପର୍ଯ୍ୟନ୍ତ ଓଡ଼ିଶାରୁ ରାଜ୍ୟସଭାରେ ସାଂସଦ ଭାବେ ପ୍ରତିନିଧିତ୍ୱ କରିଥିଲେ। ବିଜେଡିର ଜଣେ ଦକ୍ଷ ସଂଗଠକଭାବେ ସେ ଅନେକ ପଦପଦବିରେ ରହି ଦଳ ପାଇଁ କାର୍ଯ୍ୟ କରିଛନ୍ତି। କାଳିଆବୋଦା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।
୧୯୩୯ ମସିହା ଜୁନ୍ ୨୫ରେ କଟକ ଜିଲ୍ଲାର ଗୋବିନ୍ଦପୁର ଥାନା ଅନ୍ତର୍ଗତ ତଣ୍ଡିକଣା ଗ୍ରାମରେ ଜନ୍ମିତ ନରେନ୍ଦ୍ର ସ୍ବାଇଁ ସ୍କୁଲ ଶିକ୍ଷା ଗାଁ ନିକଟସ୍ଥ ବିଦ୍ୟାଳୟରେ ଶେଷ କରିବା ପରେ ଖ୍ରୀଷ୍ଟ କଲେଜ ଓ ମଧୁସୂଦନ ଲ’ କଲେଜରୁ ଉଚ୍ଚ ଶିକ୍ଷା ହାସଲ କରିଥିଲେ। ମଧୁସୂଦନ ଆଇନ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତିଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ତାପରେ ଏସ୍ୟୁସିଆଇ, ଆଇଏନ୍ଟିୟୁସିର ଶ୍ରମିକ ନେତା ଭାବେ କାର୍ଯ୍ୟ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ବିଜୁ ପଟ୍ଟନାୟକଙ୍କ ବିଶ୍ବାସଭାଜନ ହୋଇଥିଲେ। ଡକ୍ଟର ରାଧାନାଥ ରଥ, ସ୍ବର୍ଗତ ପ୍ରବୀର ପାଲିତ, ଲୋକନାଥ ଚୌଧୁରୀଙ୍କ ଭଳି ନେତୃବୃନ୍ଦଙ୍କ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ। ଓଟିଡିସି, ସିଡ୍ କର୍ପୋରେସନ୍ ଓ ଅଳକା ସଂସ୍ଥାର ଅଧ୍ୟକ୍ଷଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। କମ୍ୟୁନିଷ୍ଟ ଦଳ ପକ୍ଷରୁ ତତ୍କାଳୀନ ପୂର୍ବ ଜର୍ମାନ ସରକାରଙ୍କ ଆମନ୍ତ୍ରଣ କ୍ରମେ ପୂର୍ବ ଜର୍ମାନ, ହଙ୍ଗେରୀ ଆଦି ଗସ୍ତ କରିଥିଲେ। ସେ ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ଜନତା ଦଳର ସାଧାରଣ ସଂପାଦକ, ୨୦୦୦ରୁ ୨୦୧୬ ପର୍ଯ୍ୟନ୍ତ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଭଳି ଗୁରୁତ୍ବପୁର୍ଣ୍ଣ ସାଂଗଠନିକ ପଦରେ ରହିଥିଲେ। ଏଥିସହିତ ସଂସଦରେ ଜଳସମ୍ପଦ, ପର୍ଯ୍ୟଟନ, ଟୁରିଜିମ୍ ଓ ପରିବହନ ଷ୍ଟାଣ୍ଡିଂ କମିଟିର ସଦସ୍ୟ ମଧ୍ୟ ଥିଲେ। ତାଙ୍କର ପତ୍ନୀ ତଥା ରେଭେନ୍ସା ଗାର୍ଲସ୍ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ସ୍ବାଇଁଙ୍କର ୨୦୧୮ରେ ପରଲୋକ ଘଟିଥିଲା। ଆଜି ଶେଷକୃତ୍ୟ ସମୟରେ ଦୁଇ ପୁଅ ଆଦିତ୍ୟ ନାରାୟଣ, ଆଲୋକ, ୨ଝିଅ ଯୁଗଜ୍ୟୋତି, ଜ୍ୟୋର୍ତିମୟୀ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ନରେନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତରେ ସାଂସଦ ଭର୍ତ୍ତୃହରି ମହତାବ, ସୁବାସ ସିଂହ, ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ପ୍ରଫେସର ପ୍ରମୋଦ ମଲ୍ଲିକ, ବିଧାୟକ ଚନ୍ଦ୍ର ସାରଥି ବେହେରା, ଦେବୀରଂଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ପ୍ରଶାନ୍ତ ବେହରା, କଟକ ଜିଲ୍ଲା ବିଜେଡ଼ି ସଭାପତି ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରଭାତ ରଂଜନ ବିଶ୍ବାଳ, ବିଜେଡି ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂହ, ସଂପାଦକ ମହମ୍ମଦ ସକିଲ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ, କଟକ ନଗର କାର୍ଯ୍ୟକାରୀ ସଭାପତି ଧର୍ମେଶ ନାୟକ, ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ରଂଜନ ବିଶ୍ବାଳ, ଦେବେନ୍ଦ୍ର ଖୁଣ୍ଟିଆ, ନିରଞ୍ଜନ କରଣ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି। ସ୍ବର୍ଗତ ସ୍ବାଇଁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୋକ ବ୍ୟକ୍ତ କରିବା ସହିତ ତାଙ୍କୁ ଜଣେ ଦକ୍ଷ ସଂଗଠକ ଭାବେ ବର୍ଣ୍ଣନା କରିବା ସହ ଲୋକଙ୍କ କଲ୍ୟାଣ ପାଇଁ ସେ କରିଯାଇଥିବା କାର୍ଯ୍ୟ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ ବୋଲି ଉଲ୍ଲେଖ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।