କଟକ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ରାଜନେତା ନରେନ୍ଦ୍ର ସ୍ବାଇଁଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ କରୋନା ଆକ୍ରାନ୍ତ ହୋଇ କଟକର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ସ୍ୱାଇଁଙ୍କ ଦେହାନ୍ତରେ କଟକ ଜିଲ୍ଲା ବିଜେଡ଼ି ସଭାପତି ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଜିଲ୍ଲାର ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଜୁ ଜନତା ଦଳ ଜଣେ ବରିଷ୍ଠ ସଂଗଠକଙ୍କୁ ହରାଇଲା ବୋଲି କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଶାନ୍ତ ନାୟକ ସୂଚନା ଦେଇଛନ୍ତି। କଟକ ଜିଲ୍ଲା ବିଜେଡ଼ି ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜଣେ ଦକ୍ଷ ସଂଗଠକ ସହ ଲୋକଙ୍କ କଲ୍ୟାଣ ପାଇଁ ସେ କରିଯାଇଥିବା କାର୍ଯ୍ୟ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
— Naveen Patnaik (@Naveen_Odisha) September 7, 2020
ସ୍ବର୍ଗତ ସ୍ବାଇଁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ନିଜ ଶୋକବାର୍ତ୍ତା ଟୁଟ୍ କରି ଲେଖିଛନ୍ତି, ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜଣେ ଦକ୍ଷ ସଂଗଠକ ସହ ଲୋକଙ୍କ କଲ୍ୟାଣ ପାଇଁ ସେ କରିଯାଇଥିବା କାର୍ଯ୍ୟ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ନରେନ୍ଦ୍ର ସ୍ୱାଇଁ ୨୦୧୫ ଡିସେମ୍ବର ୭ରୁ ୨୦୨୦ ଏପ୍ରିଲ ୨ ପର୍ଯ୍ୟନ୍ତ ଓଡ଼ିଶାରୁ ରାଜ୍ୟସଭାରେ ସାଂସଦ ଭାବେ ପ୍ରତିନିଧିତ୍ୱ କରିଥିଲେ।