ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ

ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ, ସଂସଦକୁ ମୁଣ୍ଡିଆ ମାରି ସେତେବେଳେ ଚର୍ଚ୍ଚାରେ ଥିଲେ

ଭବାନୀପାଟଣା : କଳାହାଣ୍ଡିର ପୂର୍ବତନ ଲୋକସଭା ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ଦିନ ପରଲୋକ ହୋଇଯାଇଛି। ଭବାନୀପାଟଣାସ୍ଥିତ ବାସଭବନରେ ହୃଦ୍‌ଘାତର ଶିକାର ହୋଇ ସେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ପୂର୍ବତନ ସାଂସଦ ଶ୍ରୀନାୟକ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗାଧୋଇ ସାରିବାପରେ ଅଣନିଶ୍ବାସୀ ଅନୁଭବ କରିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାକୁ ନେବାପାଇଁ ଆମ୍ବୁଲାନ୍ସ ସହ ପରିବାର ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଆମ୍ବୁଲାନ୍ସଟି ପ୍ରାୟ ଅଧଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ସେତେବେଳକୁ ସେ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକେ ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ହେଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଶେଷଇଚ୍ଛା ଅନୁଯାୟୀ ଅନ୍ତିମ ସଂସ୍କାର ନିମନ୍ତେ ପୁରୀ ସ୍ବର୍ଗଦ୍ବାରକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ପୁଅ ସୀତାରାମ ନାୟକ ଓ ଶିବରାମ ନାୟକ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାର ସମୟରେ ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ।

୧୯୯୧ରେ ସୁବାସ ନାୟକ ସଂସଦ ଭବନ ପାହାଚରେ ମୁଣ୍ଡିଆ ମାରି ଚର୍ଚ୍ଚାରେ ଆସିଥିଲେ। ୨୦୧୪‌େର ନରେନ୍ଦ୍ର ମୋଦୀ ଅନୁରୂପ ଭାବେ ମୁଣ୍ଡିଆ ମାରିଥିଲେ।

ତାଙ୍କ ବିୟୋଗେର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା ସହିତ ତାଙ୍କର କାର୍ଯ୍ୟ ଓ ସେବା ମନୋଭାବ ପାଇଁ ସେ ସବୁଦିନ ପାଇଁ ଆମ ଗହଣରେ ମନେରହିବେ ବୋଲି କହିଛନ୍ତି।
ସୂଚନା ଅନୁସାରେ, ୧୯୯୧ମସିହା ନିର୍ବାଚନରେ ସେ କଂଗ୍ରେସ ଟିକେଟ୍‌ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହିସମୟରେ ଗୋଟିଏ ଘଟଣା ପାଇଁ ଚର୍ଚ୍ଚାର ପରିଧିକୁ ଆସିଥିଲେ। ନିର୍ବାଚିତ ହେବାପରେ ସାଇକଲ୍‌ରେ ସେ ସଂସଦ ଭବନକୁ ଯାଇଥିଲେ। ସଂସଦ ଭବନକୁ ପ୍ରବେଶର ପ୍ରଥମଦିନ ସେ ପାହାଚକୁ ମୁଣ୍ଡିଆ ମାରି ‘ସଂସଦ ଏକ ମନ୍ଦିର’ ବୋଲି ଅଭିହିତ କରିଥିଲେ। ସେତେବେଳେ ଏହା ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ସଂସଦକୁ ମୁଣ୍ଡିଆ ମାରିବାର ପରମ୍ପରା ତତ୍‌କାଳୀନ ସାଂସଦ ଶ୍ରୀ ନାୟକଙ୍କଠାରୁ ଆରମ୍ଭ ହୋଇଥିବା କୁହାଯାଏ।

ସାଂସଦ ଭାବେ ନିର୍ବାଚିତ ହେବାପୂର୍ବରୁ ସେ ପ୍ରଥମେ ହସ୍ପିଟାଲ କର୍ମଚାରୀ ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ପରେ ଅଧାରୁ ଚାକିରି ଛାଡ଼ି ସାମ୍ବାଦିକତା ଓ ପ୍ରିଣ୍ଟିଂପ୍ରେସ୍‌ କରିଥିଲେ। ସେ ପୂର୍ବରୁ କର୍ମଚାରୀ ସଂଘର ସମ୍ପାଦକ ରହି କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଲଢୁଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜାଗ୍ରତ ଓଡ଼ିଶାର ଆବାହକ ଥିଲେ। ରାଜୀବ ଗାନ୍ଧିଙ୍କ କଳାହାଣ୍ଡି ଗସ୍ତ ସମୟରେ ଭିନ୍ନକ୍ଷମଙ୍କୁ ନେଇ ରାଜୀବ ଗାନ୍ଧିଙ୍କୁ ସ୍ୱାଗତ କରିଥିଲେ, ଯାହାକି ସେତେବେଳେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଫଳରେ, ୧୯୯୧ ମସିହା ନିର୍ବାଚନରେ ଦଳ ପକ୍ଷରୁ ଟକେଟ୍‌ ପାଇବା ପାଇଁ ସକ୍ଷମ ହୋଇଥିଲେ। ୨୦୦୯ ମସିହାରେ ଏହି ଆସନରୁ ବିଜେଡି ଟିକେଟ୍‌ରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ମାତ୍ର, ନିର୍ବାଚନରେ ସେ ପରାଜିତ ହୋଇଥିଲେ। ଶ୍ରୀମାଁ ଅରବିନ୍ଦଙ୍କ ଭକ୍ତ ଥିଲେ ଶ୍ରୀ ନାୟକ।

ସମ୍ବନ୍ଧିତ ଖବର